ପଦ୍ମ ଧରିଲେ ପ୍ରକାଶ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପିର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ.ଭି ସିଂହ ଦେଓ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।

ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ । ପ୍ରକାଶଥାଉ କି ଦେଢ ବର୍ଷ ଧରି ପ୍ରକାଶ ବିଜେଡିକୁ ଯିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସାଲେପୁରରେ ଦୁଇଦିନ ତଳେ ଅନୁଷ୍ଠିତ ଏକ କର୍ମୀ ସମାବେଶରେ ମନ୍ତ୍ରୀ ପ୍ରତାପ ଜେନା ସାଲେପୁରରୁ ପ୍ରଶାନ୍ତ ବେହେରା ହିଁ ବିଜେଡି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ । ଏପରି କି ପ୍ରକାଶଙ୍କ ନାମ ନ ନେଇ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ ।

ଏହି ଅବସରରେ ପ୍ରକାଶ ବେହେରା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶଧାରାରେ ଆକର୍ଷିତ ହୋଇ ସେ ବିଜେପିରେ ମିଶିଛନ୍ତି । ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତାଙ୍କର ଭରସା ଅଛି । ୫ ବର୍ଷ ହେବ ଦେଶରେ ପ୍ରଗତି ହେଉଛି । ବିରୋଧୀ ଦଳରେ ଥିଲେ ବି ସେ ତାଙ୍କ ବିକାଶ କାର୍ଯ୍ୟକୁ ଅନୁସରଣ କରିଥିଲେ । କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଦ୍ୱାରା ଓଡ଼ିଶାର ବିକାଶ ହୋଇଛି । ଆଜି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦଳରେ ସାମିଲ ହୋଇ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି ।

ସେ କହିଥିଲେ ଯେ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ବିକାଶର ନାରା ନେଇ କାର୍ଯ୍ୟ କରୁଥିଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିକାଶର ନାରା ନେଇ ସାରା ଦେଶରେ କାର୍ଯ୍ୟ କରୁଛନ୍ତି । ଏହା ଯୁବଗୋଷ୍ଠୀକୁ ଆକୃଷ୍ଟ କରିଛି । ଆଗାମୀ ଦିନରେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବସନ୍ତ ପଣ୍ଡା ଓ କେ.ଭି ସିଂହଦେଓଙ୍କ ନେତୃତ୍ୱରେ ଦଳ ଓଡ଼ିଶାରେ ବିକାଶ କରିବ । ମୁଁ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି ବୋଲି ପ୍ରକାଶ କହିଛନ୍ତି ।

ପ୍ରକାଶଙ୍କୁ ଦଳକୁ ସ୍ୱାଗତ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା କହିଥିଲେ ଯେ ତାଙ୍କର ଯୋଗଦାନ ଦ୍ୱାରା ଦଳ ଆହୁରି ସୁଦୃଢ ହୋଇଛି । କେବଳ କଟକ କିମ୍ବା କେନ୍ଦ୍ରପଡ଼ା ନୁହେଁ ପୂରା ଉପକୂଳ ଓଡ଼ିଶାରେ ବିଜେପି ଏବେ କାୟା ବିସ୍ତାର କରୁଛି । ତାଙ୍କର ଯୋଗଦାନ ଦ୍ୱାରା ଦଳ ଏଠାରେ ଆହୁରି ସଶକ୍ତ ହେବ । ପ୍ରକାଶ ଜଣେ ଭଲ ନେତା ଭାବେ କେବଳ ସାଲେପୁର ନୁହେଁ, ପୂରା କଟକରେ ବି ଜଣାଶୁଣା ।

ପ୍ରକାଶ ଶନିବାର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ସେ ସେଥିରେ ଲେଖିଥିଲେ ଯେ କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି । ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ । ସେ ଆହୁରି ଲେଖିଥିଲେ ଯେ ମୁଁ ୨୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରିଛି । କିନ୍ତୁ ଦଳ ମୋତେ ଅବହେଳା କଲା । ସେଥିପାଇଁ ଦୁଃଖର ସହିତ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି ।

ସୂଚନାଯୋଗ୍ୟ, ପ୍ରାୟ ବର୍ଷେ ହେଲାଣି ପ୍ରକାଶ ଆଉ କଂଗ୍ରେସର ଦଳୀୟ ଚିହ୍ନ ବ୍ୟବହାର କରୁ ନଥିଲେ । ୨୦୦୦, ୨୦୦୪ ଓ ୨୦୦୯ରେ ପ୍ରକାଶ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ତେବେ ତିନି ଥର ହାରିବା ପରେ ୨୦୧୪ରେ ସେ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.