
ପାକିସ୍ତାନ ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ବିଚାରପତିଭାବେ ନିଯୁକ୍ତି ମିଳିଛି | ପାକିସ୍ତାନ ନ୍ୟାୟପାଳିକା ଇତିହାସରେ ଏହା ପ୍ରଥମ ଘଟଣା | ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା ମଲିକଙ୍କୁ ପ୍ରଥମ ମହିଳା ବିଚାରପତି ଭାବେ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି ।
ପାକିସ୍ତାନର ଜୁଡିସିଆଲ କମିଶନ ଗୁରୁବାର ଏହି ପଦୋନ୍ନତିକୁ ଅନୁମୋଦନ କରିଛନ୍ତି । ପାଞ୍ଚଟି ଭୋଟରୁ ୪ଟି ଭୋଟ ଆୟେଶାଙ୍କ ସପକ୍ଷରେ ଆସିଥିଲା । ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଏହି ପଦ ମିଳିଛି ।ହାଭାର୍ଡ ଲ’ ସ୍କୁଲରୁ ଏଲଏଲଏମରେ ସ୍ନାତକ କରିଛନ୍ତି ଆୟେଶା। ଜଷ୍ଟିସ୍ ଆୟେଶା ୨୦୧୨ରେ ରେ ଲାହୋର ହାଇକୋର୍ଟରେ ବିଚାରପତି ହେବା ପୂର୍ବରୁ ଏକ ଅଗ୍ରଣୀ କର୍ପୋରେଟ୍ ଏବଂ ବାଣିଜ୍ୟିକ ଆଇନ ସଂସ୍ଥାର ସଂସ୍ଥାପକ ଭାବେ ଅଭିଜ୍ଞତା ହାସଲ କରିଛନ୍ତି । ୨୦ ବର୍ଷରୁ ଅଧିକ ସମୟ ଧରି ଲାହୋର ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ଆୟେଶା ।
ଅନୁଶାସନ ଏବଂ ସଚ୍ଚୋଟତା ପାଇଁ ଆୟେଶା ବେଶ ଜଣାଶୁଣା । ନିର୍ବାଚନରେ ସମ୍ପତ୍ତି ଘୋଷଣା, ଆଖୁ ଚାଷୀଙ୍କୁ ଦେୟ ପ୍ରଦାନ ଏବଂ ପାକିସ୍ତାନ ଅନେକ ସାମ୍ବିଧାନିକ ପ୍ରସଙ୍ଗ ଉପରେ ସେ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ ଆୟେଶା ମଲିକ 2031 ମସିହା ଜୁନ୍ ପର୍ଯ୍ୟନ୍ତ ଆପେକ୍ସ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିବେ। ଜଷ୍ଟିସ ଆୟେଶା ମଲିକ ପାକିସ୍ତାନର ସୁପ୍ରିମକୋର୍ଟରେ ସବୁଠୁ ଅଧିକ ବରିଷ୍ଠ ଓ ପ୍ରଥମ ମହିଳା ବିଚାରପତି ହେବେ ।