
କନ୍ଧମାଳ ଜିଲ୍ଲା କରଡ଼ା ଘାଟିରୁ ୭୦ ଫୁଟ ତଳକୁ ଖସି ପଡ଼ିଲା ପିକ୍ନିକ୍ ଗାଡ଼ି । ଚାଲିଗଲା 3 ଜଣଙ୍କ ଜୀବନ । ମୃତ ତିନି ଯୁବକ ହେଲେ ଇମୁଦାସ ପରିଚ୍ଛା, ସବିନ ଦିଗାଲ ଓ ସକିଲ ପରିଚ୍ଛା। ସମସ୍ତଙ୍କ ବୟସ ୨୨ରୁ ୨୪ ବର୍ଷ ମଧ୍ୟରେ। ଅନ୍ୟ ୭ ଜଣ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଖୁସି ମନରେ ୧୦ ଜଣ ସାଙ୍ଗ ହୋଇ ପିକ୍ନିକ୍ ଯିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଗାଁରୁ ୧୦ ଯୁବକ ଏକ ଜାଇଲୋ ଭ୍ୟାନ୍ରେ ବସି ବାହାରିବା ପରେ ଘରଠାରୁ ମାତ୍ର ୧୦ କିଲୋମିଟର ଯାଇଛନ୍ତି କି ନାହିଁ କାଳ ଛକି ବସିଥିଲା ଯେମିତି । ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ କରଡ଼ା ଘାଟିରୁ ୭୦ ଫୁଟ ତଳକୁ ଖସିପଡ଼ିଥିଲା। ଫଳରେ, ଘଟଣାସ୍ଥଳରେ ୩ ଜଣ ଯୁବକଙ୍କ ପ୍ରାଣ ଚାଲିଯାଇଛି।
ଏହି ଯୁବକମାନଙ୍କ ଘର ହେଉଛି, କନ୍ଧମାଳ ଜିଲ୍ଲା ରାଇକିଆ ଭାଲିଆପଡ଼ା ଅଞ୍ଚଳ। ଏକ ଜାଇଲୋ ଭ୍ୟାନ୍(ଓଆର୍୧୯କେ୫୫୫୧)ରେ ଗଂଜାମ ଜିଲ୍ଲା ସୋରଡ଼ାର ଦାନ୍ତଲିଙ୍ଗକୁ ସେମାନେ ପିକ୍ନିକ୍ ପାଇଁ ବାହାରିଥିଲେ। ରାଇକିଆ-ସୋରଡ଼ା ମଝି କରଡ଼ା ଘାଟିରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସେତେବେଳକୁ ଘଟଣାସ୍ଥଳରେ ୩ଜଣ ପ୍ରାଣ ହରାଇ ସାରିଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅନ୍ୟ ଜଣେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସଂକଟାପନ୍ନ ଅବସ୍ଥାରେ ଜବନ ସହ ସଂଗ୍ରାମ କରୁଥିବା ବେଳେ ଆଉ ୬ଜଣ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି; ସୁମିତ ନାୟକ, ସନ୍ଦୀପ ନାୟକ, ସାମେଲ ପରିଛା, ଆକାଶ ନାୟକ ଓ ହରଭଜନ ନାୟକ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଥାନାଧିକାରୀ ରଞ୍ଜିତା ବେହେରା ସୂଚନା ଦେଇଛନ୍ତି ।