
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପିପିଲିରେ ବଢ଼ିଚାଲିଛି ଦୁଷ୍କର୍ମ ଭଳି ଅପରାଧର ସଂଖ୍ୟା । ମାତ୍ର ୨ ମାସ ଭିତରେ ୫ ଜଣ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଛି । ସବୁ ଘଟଣା ପିପିଲି ଥାନା ଅଞ୍ଚଳରେ ଘଟିଛି । କେତେବେଳେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛନ୍ତି ତ ଆଉ କେତେବେଳେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଆଉ କେବେ ନାବାଳକକୁ ଅପ୍ରାକୃତିକ ଯୌନ ଶୋଷଣ ଅଭିଯୋଗ । ଦିନକ ତଳେ ରବିବାର ଦିନ ପିପିଲିରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ ହୋଇଥିଲା ।
ସେହିଦିନ ତେଇଶିପୁର ପଞ୍ଚାୟତର ଜଣେ ମହିଳା ଆର.ଆଇଙ୍କୁ ପିପିଲି ଅତିରିକ୍ତ ତହସିଲଦାର ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ପରେ ଅତିରିକ୍ତ ତହସିଲଦାରଙ୍କୁ ବଦଳି କରାଯାଇଛି । ଏ ସମସ୍ତ ଘଟଣାରେ ପୁଲିସ କେବଳ ଅଭିଯୁକ୍ତଙ୍କୁ ଗିରଫ କରି ଚୁପ୍ ବସିଯାଉଛି । ସେପଟେ ରାଜ୍ୟ ବିଜେଡିର ବରିଷ୍ଠ ନେତାମାନେ ଆଜି ଏ ପ୍ରସଙ୍ଗରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଏବଂ ପୁରୀ ଏସପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।