ସତ୍ୟପାଠ 26/12 ପୁରୀ: ସମୁଦ୍ରକୂଳଥାନା ଅଧୀନ ବେଳାଭୂମିସ୍ଥିତ ନୀଳାଦ୍ରି ବିଚ୍ ପାର୍କରେ ଶନିବାର ରାତିରେ ପୁଅଝିଅ ଘଟାଇଲେ ଉନ୍ମତ୍ତ କାଣ୍ଡ । ୨ ଗୋଷ୍ଠୀ ମଧ୍ୟରେ ଝଗଡା ଲାଗି ପିଟାପିଟି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟାରେ ନୀଳାଦ୍ରି ବିଚ୍ ପାର୍କରେ ୨ ଗୋଷ୍ଠୀ ପୁଅଝିଅ ଥିଲେ । ଗୋଟିଏ ଗୋଷ୍ଠୀରେ କେବଳ ପୁଅ ଥିବାବେଳେ ଅନ୍ୟ ଗୋଷ୍ଠୀରେ ପୁଅ ଓ ଝିଅମାନେ ଥିଲେ । କେବଳ ପୁଅ ଥିବା ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଝିଅଙ୍କୁ କମେଣ୍ଟ୍ ମାରିଥିଲେ । ଝିଅମାନଙ୍କ ମୁଣ୍ଡକୁ ପିତ୍ତ ଚଢିଥିଲା । ସେମାନଙ୍କ ପୁରୁଷ ବନ୍ଧୁମାନଙ୍କୁ ଉତ୍ତେଜିତ କରିବା ଆରମ୍ଭ କରିଥିଲେ । ରଣହୁଙ୍କାର ଦେଲା ଭଳି ଗୋଡାଇ ଆକ୍ରମଣ କରିଥିଲେ ଉଭୟ ପୁଅ ଓ ଝିଅ । ସେମାନଙ୍କ ଆକ୍ରମଣର ଶିକାର ହୋଇ ପୁଅ ଗୋଷ୍ଠୀ ବି ପ୍ରତି ଆକ୍ରମଣ କରିଥିଲେ । ଦୁଇ ଗୋଷ୍ଠୀ ପରସ୍ପର ସହ ପିଟାପିଟି ହୋଇ ଆତଙ୍କ ଖେଳାଇଥିଲେ । ସେଠାରେ ଉପସ୍ଥିତ ଅନେକ ଭଦ୍ରବ୍ୟକ୍ତି ଏଣେତେଣେ ଦୌଡିଥିଲେ । ବେଳାଭୂମିରୁ ପିଟାପିଟି ହୋଇ ସିଟି ରୋଡକୁ ସେମାନେ ଚାଲି ଆସିଥିଲେ । ପିସିଆର୍ ପହଞ୍ଚିବା କ୍ଷଣି ୨ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ଏନେଇ ଆଇଆଇସି ଚିନ୍ମୟ ରାଉତ କହିଛନ୍ତି ଯେ, ନୀଳାଦ୍ରୀ ବିଚ୍ ପାର୍କରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । କାର୍ଯ୍ୟକ୍ରମ ଦେଖିବାକୁ ୨ ଗୋଷ୍ଠୀ ପୁଅଝିଅ ଯାଇଥିଲେ । ଏହି ପୁଅଝିଅମାନେ ଇନ୍ଷ୍ଟାଗ୍ରାମ୍ରେ ପରସ୍ପର ସହ ପରିଚିତ ଅଛନ୍ତି । ବେଳାଭୂମିରେ ସାମ୍ନାସାମ୍ନି ହୋଇଯିବା ପରେ କିଛି ପୁଅ କମେଣ୍ଟ ମାରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଝଗଡ଼ା । ଏହାର ଅନୁସନ୍ଧାନ ଚାଲିଥିବା ସେ କହିଛନ୍ତି ।
Related Posts
-
Copyright © SatyaPatha2021