ପୋଷ୍ଟାଲ ବାଲଟ ନ ମିଳିବାରୁ ଧାରଣା

ସତ୍ୟପାଠ ବ୍ୟୁରୋ:ସାଧାରଣତଃ ନିର୍ବାଚନ ଡ୍ୟୁଟିରେ ଯାଉଥିବା ସରକାରୀ କର୍ମଚାରୀମାନେ ପୋଷ୍ଟାଲ ବାଲଟରେ ସେମାନଙ୍କ ମତ ସାବ୍ୟସ୍ତ କରନ୍ତି । ତେବେ କେନ୍ଦ୍ରାପଡ଼ାରେ ନିର୍ବାଚନ ଡ୍ୟୁଟିରେ ସାମିଲ ହୋଇଥିବା କର୍ମଚାରୀଙ୍କୁ ପୋଷ୍ଟାଲ ବାଲଟ ମିଳୁ ନଥିବା ଅଭିଯୋଗ ହୋଇଛିୟ ଆଉ ଏହାର ପ୍ରତିବାଦରେ ସେମାନେ ଧାରଣାରେ ବସିଛନ୍ତି ।

ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡ଼ାରେ ଇଭିଏମ ବିତରଣ କେନ୍ଦ୍ରରେ ଏହି କର୍ମଚାରୀଙ୍କୁ ପୋଷ୍ଟାଲ ବାଲଟ ଦିଆଯାଉ ନାହିଁ । ଏମିତିକି ପୋଷ୍ଟାଲ ବାଲଟ ମାଗିବାରୁ ସେମାନଙ୍କୁ ଗାଳି ଦିଆଯାଉଥିବା ଅଭିଯୋଗ ହୋଇଛି । ପୋଷ୍ଟାଲ ବାଲଟ ନମିଳିଲେ ସେମାନେ ଇଭିଏମ ରିସିଭ କରିବେ ନାହିଁ ବୋଲି କହିଛନ୍ତି ।

ନିର୍ବାଚନ ଡ୍ୟୁଟିରେ ଥିବା ଜଣେ କର୍ମଚାରୀ କହିଛନ୍ତି ଯେ ଆମକୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଆମେ ଭୋଟ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇବା ପାଇଁ ଖରା, ବର୍ଷାକୁ ଖାତିର ନକରି ଏଠାରେ ପହଞ୍ଚିଛୁ । ତା’ ସତ୍ୱେ ଆମକୁ ଭୋଟ ଦେବାରୁ ବଞ୍ଚିତ କରାଯାଉଛି । ଆମେ ସରକାରଙ୍କୁ ଗୁହାରି କରୁଛୁ ଯେ ଆମ ମୌଳିକ ଅଧିକାରରୁ ଆମକୁ ବଞ୍ଚିତ କରାନଯାଉ । ଜାଣିଶୁଣି ଆମକୁ ଭୋଟରୁ ବଞ୍ଚିତ କରାଯାଉଛି ।

ପୋଷ୍ଟାଲ ବାଲଟିଂର ନୋଡାଲ ଅଫିସର ଶୁକଦେବ ବେହେରା କହିଛନ୍ତି ଯେ ନିୟମ ଅନୁଯାୟୀ ପୋଷ୍ଟାଲ ବାଲଟିଂ ପାଇଁ ୭ ଦିନ ପୂର୍ବରୁ ୧୨ ନମ୍ବର ଫର୍ମରେ ଆବେଦନ କରିବାକୁ ହୁଏ । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଏହି ଆବେଦନ କରିବାକୁ ପଡ଼େ । ରିଟର୍ଣ୍ଣିଂ ଅଫିସରଙ୍କଠାରୁ ୧୨ ନମ୍ବର ଫର୍ମ ମିଳିବା ପରେ ନୋଡାଲ ଅଫିସର ପୋଷ୍ଟାଲ ବାଲଟ ଇସ୍ୟୁ କରିଥାଆନ୍ତି । କିନ୍ତୁ ଆମକୁ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ୧୨ ନମ୍ବର ଫର୍ମ ମିଳିନାହିଁ ।

ଅନ୍ୟପକ୍ଷରେ ନିର୍ବାଚନ ଡ୍ୟୁଟିରେ ଥିବା ଏହି କର୍ମଚାରୀମାନଙ୍କୁ ପୋଷ୍ଟାଲ ବାଲଟିଂ ପାଇଁ ପୂର୍ବରୁ ୫ ଦିନ ଧରି ସୁଯୋଗ ଦିଆଯାଇଥିଲା । ବିଭିନ୍ନ ଟ୍ରେନିଂ ସେଣ୍ଟରଗୁଡ଼ିକରେ ସେମାନଙ୍କ ପାଇଁ ପୋଷ୍ଟାଲ ବାଲଟିଂ ସୁବିଧା କରାଯାଇଥିଲା । କିନ୍ତୁ ସେମାନେ ଏହାର ସଦୁପଯୋଗ କରିନାହାନ୍ତି । ଏବେ ଗଣ୍ଡଗୋଳିଆ ସ୍ଥିତି ଉପୁଜିଥିବାରୁ କିଛି ସମୟ ପାଇଁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ପରେ ଏନେଇ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.