ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ବେଳେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ରାଜନୀତିକରଣ ଚାଲିଥିବା ବେଳେ, ଏହାରି ମଧ୍ୟରେ ମୁହଁ ଖୋଲିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ | ସେ କହିଛନ୍ତି ଯେ, ପୂର୍ବରୁ ଏପରି ସୁରକ୍ଷାରେ ତ୍ରୁଟି ଯୋଗୁଁ ଦେଶ ୨ଜଣ ପ୍ରଧାମନ୍ତ୍ରୀଙ୍କୁ ହରାଇସାରିଛି । ତେଣୁ ପଂଜାବରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍କୁ ଯେଭଳି ଅଟକାଗଲା ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ।
ସଞ୍ଜୟ ରାଉତ ଟ୍ବିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ଅଟନ୍ତି ଏବଂ ତାଙ୍କ ସୁରକ୍ଷାକୁ ନେଇ କୌଣସି ସାଲିସ ହୋଇପାରିବ ନାହିଁ। ମୋଦୀଙ୍କ ପଂଜାବ ଗସ୍ତ ସମୟରେ ଘଟିଥିବା ସୁରକ୍ଷା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ରାଉତ ଗୁରୁତ୍ବାରୋପ କରିଛନ୍ତି।
ସୂଚାନଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ଅନୁଷ୍ଠାନ । ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ହେଉଛି ସରକାରର କର୍ତ୍ତବ୍ୟ ଏବଂ ଅନୁଷ୍ଠାନ ପ୍ରତି ସମ୍ମାନ । କେହି ବି ଏହାର ବିପରୀତ କାମ କରିବେ, ତେବେ ଏହା ଆମ ଗଣତନ୍ତ୍ର ପାଇଁ ଗ୍ରହଣୀୟ ନୁହେଁ ବୋଲି ନବୀନ ଟୁଇଟ୍ କରି ଲେଖିଛନ୍ତି ।