ପ୍ରଶାନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ତୀବ୍ର ଅସନ୍ତୋଷ

କାର୍ଯ୍ୟାଳୟରେ ଭଙ୍ଗାରୁଜା, ରାସ୍ତା ଅବରୋଧ

ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଏଥର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ଦଳର ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରୁ ଟିକେଟ ପାଇବାକୁ ଆଶା ରଖିଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ପ୍ରଶାନ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରବିବାର ଯୋଗଧାରୀ ସ୍ଥିତି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ବେଳେ ସୋମବାର ଥାନା ଓ ନାଉଗାଁ ଛକରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି । ବୁଝାସୁଝା କରିବା ପରେ ସେମାନେ ରାସ୍ତାରୋକ ଓ ଧାରଣାରୁ ହଟିଥିଲେ । ପ୍ରଶାନ୍ତଙ୍କ ଟିକେଟ ପ୍ରତ୍ୟାହାର କରି ଅମରେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ଦାବି କରିଛନ୍ତି ।

ରବିବାର ବିଜେଡି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଏଥିରେ ଦଳର ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନାଁ ବି ଥିଲା । ତେବେ ତାଙ୍କୁ ଏଥର ଜଗତସିଂହପୁରରୁ ଟିକେଟ ଦିଆଯାଇଥିବା ନେଇ ଖବର ପ୍ରଚାରିତ ହେବା ପରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଛଅ/ସାତ ଜଣ ଯୁବକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଅଫିସ ସମ୍ମୁଖରେ ଲାଗିଥିବା ବୋର୍ଡ ସହିତ ହୋର୍ଡିଂ ଆଦି ଭାଙ୍ଗି ଦେଇଥିଲେ । ତା’ସହିତ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଦେଇଥିଲେ । ପରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ଥାନା ଛକରେ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତଳିକା ଦାହ କରିଥିଲେ । ସେହିପରି ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଅମରେନ୍ଦ୍ର ଦାସ କହିଛନ୍ତି ଯେ ଜଗତସିଂହପୁର ପାଇଁ ଦଳ ଯେଉଁ ନିଷ୍ପତି ନେଇଛି, ତାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି । ତେଣୁ ଗତକାଲି ଠାରୁ ବିରୋଧ ପ୍ରଦର୍ଶନ କରୁଛନ୍ତି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଏକ ଟିମ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବ ଓ ଶେଷ ଥର ପାଇଁ ନିଷ୍ପତି ବଦଳାଇବାକୁ ଅନୁରୋଧ କରିବ । ତା’ପରେ ସେ ଯାହା ନିଷ୍ପତି ନେବେ ।

ସେ ଆହୁରି କହିଛନ୍ତି ଯେ ଯଦି ଦଳ ନିଷ୍ପତି ନ ବଦଳାଏ, ତା’ହେଲେ ସମର୍ଥକ ଓ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପରାମର୍ଶ ନେଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସୂଚନାଯୋଗ୍ୟ, ପ୍ରଶାନ୍ତ ମୁଦୁଲି ଦୁଇ ଥର ବିଜେଡି ଟିକେଟରେ ବାଲିକୁଦା-ଏରସମାରୁ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି । ଅନ୍ୟପକ୍ଷରେ ଅମରେନ୍ଦ୍ର ଏବେ ଜଗତସିଂହପୁର ଜିଲ୍ଲା ଯୁବ ବିଜେଡିର ସଭାପତି ଅଛନ୍ତି ।

Leave A Reply

Your email address will not be published.