‘ପ୍ରାଇମଟାଇମ ଫାଉଣ୍ଡେସନ’ ପକ୍ଷରୁ ‘ସଂସଦ ରତ୍ନ’ ପୁରସ୍କାର ତାଲିକା ଘୋଷଣା: ଜାଣନ୍ତୁ ଓଡ଼ିଶାର କାହାକୁ ମିଳିବ ଏହି ପୁରସ୍କାର

‘ପ୍ରାଇମଟାଇମ ଫାଉଣ୍ଡେସନ’ ପକ୍ଷରୁ ପ୍ରକାଶ ପାଇଛି ଚଳିତବର୍ଷ ‘ସଂସଦ ରତ୍ନ’ ପୁରସ୍କାର ତାଲିକା। ଏନସିପି ସାଂସଦ ସୁପ୍ରିୟୋ ସୁଲେ ଓ ବିଜେଡିର ଅମର ପଟ୍ଟନାୟକଙ୍କ ସମେତ ୧୧ ଜଣ ସାଂସଦଙ୍କୁ ନିମନ୍ତେ ମନୋନୀତ କରାଯାଇଛି। ଏଥିସହ ତାମିଲନାଡୁରୁ ବିଜେପି ନେତା ଏଚ.ଭି.ହାଣ୍ଡେ ଓ କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଏମ. ବୀରପ୍ପାମୋଇଲୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଲାଗି ମନୋନୀତ କରିଛନ୍ତି।

ଫାଉଣ୍ଡେସନ ପକ୍ଷରୁ ଜାରି ଏକ ବୟାନରେ ଯେଉଁ ୧୧ ଜଣ ସାସଂଦଙ୍କୁ ସଂସଦ ରତ୍ନ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ସେମାନଙ୍କ ମଧ୍ୟରେ ୮ ଜଣ ଲୋକସଭାର ହୋଇଥିବା ବେଳେ ୩ ଜଣ ରାଜ୍ୟସଭାର ବୋଲି କୁହାଯାଇଛି। ଏଥିରେ ତୃଣମୂଳ ସାଂସଦ ସୌଗତ ରାୟ, କଂଗ୍ରେସ ସାଂସଦ କୂଲଦୀପ ରାୟ ଶର୍ମା, ବିଜେପିର ବିଦ୍ୟୁତ ବରନ ମୋହାତୋ, ହିନା ଗାଭିତ ଓ ସୁଧୀର ଗୁପ୍ତାଙ୍କୁ ,ସପ୍ତଦଶ ଲୋକସଭାରେ ସେମାନଙ୍କ କାର୍ଯ୍ୟ ଲାଗି ସଂସଦ ରତ୍ନ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି।

ସେହିପରି ବିଜେଡିର ଅମର ପଟ୍ଟନାୟକ ଓ ଏନସିପିର ଫୌଜିଆ ଅହମ୍ମଦ ଖାନଙ୍କୁ ବର୍ତ୍ତମାନ ସଦସ୍ୟ ଶ୍ରେଣୀରେ ଏହି ପୁରସ୍କାର ଲାଗି ସୂଚୀବଦ୍ଧ କରାଯାଇଛି। ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) ସଦସ୍ୟ କେ.କେ.ରାଗେଶଙ୍କୁ ତାଙ୍କ କାର୍ଯ୍ୟକାଳରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ୨୦୨୧ ବର୍ଷ ନିମନ୍ତେ ‘ଅବକାଶ ପ୍ରାପ୍ତ’ ସଦସ୍ୟ ଶ୍ରେଣୀରେ ଏହି ପୁରସ୍କାର ଲାଗି ନାମିତ କରାଯାଇଛି। ସଂସଦର ଗତ ଶୀତକାଳୀନ ଅଧିବେଶନରୁ ଆରମ୍ଭ କରି ଜାରି ବଜେଟ୍ ଅଧିବେଶନ ପର୍ଯ୍ୟନ୍ତ ସାଂସଦଙ୍କ ପ୍ରଦର୍ଶନକୁ ନେଇ ଏହି ମନୋନୟନ ହୋଇଥିବା ପ୍ରାଇମ ପଏଣ୍ଟ ଫାଉଣ୍ଡେସନର ସଂସ୍ଥାପକ କେ.ଶ୍ରୀନିବାସନ କହିଛନ୍ତି। ସାଂସଦୀୟ ବ୍ୟାପାର ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ସଂସଦ ରତ୍ନ ପୁରସ୍କାର କମିଟି ଗଠିତ ହୋଇଥିବା ବେଳେ ପୂର୍ବତନ ନିର୍ବାଚନ କମିଶନ ଟି.ଏସ୍. କୃଷ୍ଣମୂର୍ତ୍ତି କମିଟିର ଉପାଧ୍ୟକ୍ଷ ଅଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡା. ଏ.ପି.ଜେ. ଅବଦୁଲ କଲାମଙ୍କ ପରାମର୍ଶରେ ଏହି ପୁରସ୍କାର ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ଡା. କାଲାମ ସଂସଦରେ ସବୁଠୁ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ସାଂସଦଙ୍କୁ ସମ୍ମାନୀତ କରିବା ଉଦ୍ଦେଶ୍ୟରେ ଏପରି ପୁରସ୍କାରର ସ୍ଥାପନା ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ।

ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଓ ଇ-ପତ୍ରିକା ପ୍ରିନସେସ୍ ଦ୍ୱାରା ୨୦୧୦ରେ ସ୍ଥାପିତ ଏହା ଏକ ଘରୋଇ ପୁରସ୍କାର। ଏହାର ପ୍ରଥମ ପୁରସ୍କାର ବିତରଣ ଉତ୍ସବ ୨୦୧୦ ମସିହାରେ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ୭୫ ଜଣ ସାଂସଦଙ୍କୁ ସଂସ୍ଥା ସଂସଦ ରତ୍ନ ସମ୍ମାନରେ ସମ୍ମାନୀତ କଲାଣି।

Related Posts