ଫାଇନାଲରେ ଦୂତୀ

ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ କପ ଜାତୀୟ ସିନିୟର ଆଥଲେଟିକ ଚାମ୍ପିୟନସିପରେ ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦଙ୍କ ଚମକ୍ରାର ପ୍ରଦର୍ଶନ ଜାରି ରହିଛି । ମହିଳା ୨୦୦ ମିଟରରେ ସ୍ୱର୍ଣ୍ଣ ପଦକଲାଭ କରିଥିବା ଓଡ଼ିଶାର ଦୂତୀ ରବିବାର ୧୦୦ ମିଟର ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ହିଟ୍ସରେ ୧୧.୬୧ ସେକେଣ୍ଡ ସମୟ ନେଇଥିବା ଦୂତୀ ସେମିଫାଇନାଲରେ ୧୧.୪୮ ସେକେଣ୍ଡ ଟାଇମିଂ ସହ ଏହି ସଫଳତା ପାଇଛନ୍ତି । ଦୂତୀଙ୍କ ସହ ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ମହାରାଷ୍ଟ୍ରର ରଶ୍ମି ସେରେଗର, ତାମିଲନାଡ଼ୁର ଅର୍ଚ୍ଚନା ସୁସେନ୍ଦ୍ରନ, ଭି.ରେବତୀ, ଏସ.ଧନଲକ୍ଷ୍ମୀ, ରାଜସ୍ଥାନର ହିନା, କର୍ଣ୍ଣାଟକର ପି.ଜେ ସ୍ନେହା ଓ କେରଳର କେ. ରଙ୍ଗା ।

ମହିଳା ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ସିଧା ଫାଇନାଲରେ ପହଞ୍ଚଛନ୍ତି । ହେପ୍ଟାଥଲନରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ପ୍ରଥମ ଦିବସ ଶେଷ ସୁଦ୍ଧା ପଏଣ୍ଟ ଟେବୁଲରେ ସ୍ୱପ୍ନା ବର୍ମନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୋମବାର ତାଙ୍କର ଆଉ ୩ଟି ଇଭେଣ୍ଟ ଅନୁଷ୍ଠିତ ହେବ ।

ଅମିୟ କୁମାର ମଲିକ ପୁରୁଷ ୧୦୦ ମିଟର ରେସ ଏବଂ ଜଉନା ମୁର୍ମୁ ମହିଳା ୪୦୦ ମିଟର ରେସରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ହିଟ୍ସରେ ୧୧.୦୯ ସେକେଣ୍ଡ ସମୟ ନେଇଥିବା ଅମିୟ ସେମିଫାଇନାଲରେ ୧୧.୧୮ ସେକେଣ୍ଡ ସହ ବିଦା ହୋଇଥିଲେ । ଜଉନା ହିଟ୍ସରେ ୫୪.୬୨ ଓ ସେମିଫାଇନାଲରେ ୫୪.୭୯ ସେକେଣ୍ଡ ସମୟ ନେଇଥିଲେ ।

Comments are closed.