କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଅଘଟଣ । ଜଳପ୍ରପାତରେ ଗୋଧୋଇବା ବେଳେ ଘଟିଛି ଅଘଟଣ । ଶିଶୁପୁତ୍ରକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ବାପାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ହୋଇଥିବା କୁହାଯାଉଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଟିଟିଲାଗଡ଼ ଅଞ୍ଚଳରୁ ଆଜି ସକାଳୁ ଏକ ଗୋଷ୍ଠୀ ବଣଭୋଜୀ କରିବା ପାଇଁ ଫୁର୍ଲିଝରଣକୁ ଯାଇଥିଲେ। ସେଠାରେ ସେମାନେ ପୂର୍ବାହ୍ଣରେ ପହଞ୍ଚିଥିଲେ। ସଂପୃକ୍ତ ଗୋଷ୍ଠୀର କିଛି ସଦସ୍ୟ ରୋଷେଇ କାମରେ ବ୍ୟସ୍ତ ଥିବା ବେଳେ ଅନ୍ୟମାନେ ଝରଣାକୁ ଗାଧୋଇବାକୁ ଯାଇଥିଲେ। ଏଥିରେ ଜଣେ ଶିଶୁପୁତ୍ର ମଧ୍ୟ ସାମିଲ ଥିଲା। ଜଳର ଗଭୀରତା ବିଷୟରେ ସେ ଜାଣି ନପାରି ଗଭୀରକୁ ପ୍ରବେଶ କରିଥିଲା। ଶିଶୁପୁତ୍ର ପାଣିରେ ବୁଡ଼ି ଯାଉଥିବା ଦେଖି ବାପା ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ନିଜେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଉଭୟ ବାପ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ହସ୍ପିଟାଲରେ ଶିଶୁପୁତ୍ରର ବାପାଙ୍କୁ ମୃତ ଘୋଷଣା କରିଛନ୍ତି। କୁହାଯାଉଛି ଯେ, ଜଳପ୍ରପାତ ନିକଟରେ ଲାଗିଥିବା ଲୁହାର ବେରିକେଡ୍ ଅତିକ୍ରମ କରି ଶିଶୁପୁତ୍ର ପାଣି ଭିତରକୁ ପ୍ରବେଶ କରିଥିଲା।