ବଜରଙ୍ଗ ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା ଘଟଣା: ଶିବମୋଗାରେ ବୁଧବାର ପର୍ଯ୍ୟନ୍ତ କର୍ଫ୍ୟୁ

କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଅଂଚଳରେ ଜାରି ରହିଛି ଉତ୍ତେଜନା | ଏପରିକି ପରିସ୍ଥିତି ଅଣାୟତ ହୋଇପଡିଛି | ଏହି ଘଟଣାରେ ପୋଲିସ ପ୍ରଥମେ ୨ ଜଣ ଓ ପରେ ଅନ୍ୟ ଜଣେ ଅଭିଯୁକ୍ତକୁ ମିଶାଇ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ମାତ୍ର ଅନ୍ୟ ଅଭିଯୁକ୍ତ ମାନେ ଏବେ ବି ଫେରାର ରହିଥିବା ନେଇ ଉତ୍ତେଜନା ଲାଗି ରହିଛି | ସେପଟେ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ଶିବମୋଗା ଜିଲ୍ଲାରେ ବୁଧବାର ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛି ସ୍ଥାନୀୟ ପ୍ରଶାସନ ।

ଆଜି (ସୋମବାର) ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ଶିବମୋଗାରେ କର୍ଫ୍ୟୁ ଲାଗୁ କରାଯାଇଛି । ବୁଧବାର ସକାଳ 6ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବା ନେଇ ଶିବମୋଗଗା ଏସ.ପି ​​ଲକ୍ଷ୍ମୀପ୍ରସାଦ ସୂଚନା ଦେଇଛନ୍ତି । ଆସନ୍ତାକାଲି ସହର ସୀମା ମଧ୍ୟରେ ଥିବା ସ୍କୁଲ, କଲେଜ ଏବଂ ଦୋକାନବଜାର ସହ ସମସ୍ତ ସାଧାରଣ କାର୍ଯ୍ୟକଳାପ ବନ୍ଦ ରହିବ । ତେବେ କୌଣସି ଅପ୍ରୀତିକର ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ଶିବାମୋଗାକୁ ଅଣାଯାଉଥିବା ଏସ.ପି କହିଛନ୍ତି ।ସହରରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଯଦି କେହି ନିୟମ ବାହାରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିବେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ବୋଲି ସେ ସ୍ପଷ୍ଟ କରିଛନ୍ତି । ଗତକାଲି(ରବିବାର) ରାତିରେ ଶିବାମୋଗାରେ ଜଣେ 26 ବର୍ଷୀୟ ହର୍ଷ ନାମକ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏବେ ସୁଦ୍ଧା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି |

ବଜରଙ୍ଗ ଦଳର ହର୍ଷ ନାମକ ଜଣେ ୨୩ ବର୍ଷୀୟ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ରାଜ୍ୟବ୍ୟାପୀ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ କଡା ସୁରକ୍ଷା ମଧ୍ୟରେ ତାଙ୍କ ଘରେ ପହଞ୍ଚାଇଥିଲା ପୋଲିସ । ଏହି ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ ସଦସ୍ୟ ମଧ୍ୟ ଏଥିରେ ସାମିଲ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା ।ଏହି ସମୟରେ ସଦସ୍ୟମାନେ ଉତ୍ତେଜିତ ହୋଇପଡି ପଥର ମାଡ କରିବା ସହ କିଛି ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଏଥିରେ ପ୍ରାୟ ୧୦ଟି ଗାଡି କ୍ଷତିଗ୍ରସ୍ତ ହେବା ସହ କିଛି ଲୋକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା ।

ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା ।

Related Posts