ରାଜ୍ୟରେ ଏବେ ଉପର ମୁହାଁ ରହିଛି କରୋନା ର ଦୈନିକ ସଂକ୍ରମଣ | ୫ ହଜାର ଆଡକୁ ଅଗ୍ରସର ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ସେପଟେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଅପରାହ୍ନ ୫ଟା ସମୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭିଡିଓ କନଫରେନ୍ସିଂ ଯୋଗେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ସଂକ୍ରମଣ ଦିନକୁ ପ୍ରାୟ 5 ହଜାରରେ ପହଁଚିଲାଣି । ବିଶେଷ କରି ସହରାଞ୍ଚଳରେ ଏହା କ୍ଷିପ୍ର ଗତିରେ ମାଡି ଚାଲିଛି । ସଂକ୍ରମଣକୁ ବ୍ରେକ ଲଗାଇବାରେ କଣ ପଦକ୍ଷେପ ନିଆଯାଉଛି, ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ କଣ କଣ ପଦକ୍ଷେପ ନେବାରେ ଆବଶ୍ୟକ ଅଛି ଏ ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ ।
ଆସନ୍ତା ୧୦ ଦିନରେ ସମସ୍ତ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ, ଏହି କାର୍ଯ୍ୟ କେତେ ବାଟ ଆଗକୁ ଗଲା ସେ ନେଇ ତଥ୍ୟ ହାସଲ କରିବେ ।ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ. ଶର୍ମା, ପୋଲିସ ଡିଜି ସୁନିଲ କୁମାର ବଂଶଲ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବେ । ବୈଠକରେ ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ମାନେ ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେବେ |