ବାଏବାଏ ବିଜେଡି

ଇସ୍ତଫା ଦେଲେ ସାଂସଦ ଅର୍ଜୁନ ସେଠୀ

ବିଜେଡିକୁ ଅଲବିଦା କହିଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ ନ ମିଳିବାରୁ ସେ ଆଜି ସକାଳେ ଦଳ ବିରୋଧରେ ବିଷୋଦଗାର କରିଥିଲେ । ଏହାପରେ ସେ ନିଜ ଇସ୍ତଫାପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସେ ନିଜ ଇସ୍ତଫାପତ୍ରରେ କହିଛନ୍ତି ଯେ ସେ ନବୀନଙ୍କୁ ଭେଟି ପୁଅକୁ ଭଦ୍ରକ ଲୋକସଭା ଆସନରେ ପ୍ରାର୍ଥୀ କରିବା ପାଇଁ କହିଥିଲି । ପ୍ରାର୍ଥୀ ତାଲିକାରେ ପୁଅର ନାମ ନଥିଲା । ଏଥିପାଇଁ ନବୀନଙ୍କୁ ଭେଟିବା ପାଇଁ ସେ ପୁଣି ଯାଇଥିଲେ । କିନ୍ତୁ ସେ ୪ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଭେଟିବାକୁ ସୁଯୋଗ ମିଳିନଥିଲା । କ୍ଷମତାକେନ୍ଦ୍ରମାନେ ଭେଟିବାକୁ ଦେଇ ନଥିଲେ । ପରିଣତ ବୟସରେ ଏଭଳି ବ୍ୟବହାର ଅପମାନ ଦେଇଥିଲା । ଆଘାତ ମଧ୍ୟ ଦେଇଥିଲା । ବର୍ତମାନ ବିଜେଡି ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇଥିବା ମଧ୍ୟ ସେ କହିଛନ୍ତି ।

ଅର୍ଜୁନ ପୂର୍ବରୁ କହିଥିଲେ ଯେ ଦଳରେ ପ୍ରାର୍ଥୀ ଚୟନରେ ଅନିୟମିତତା ଦେଖାଦେଇଛି । ସେ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଶ୍ଚୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶେଷରେ ତାଙ୍କ ନାମ କିମ୍ବା ପୁଅଙ୍କ ନାମ ଘୋଷଣା ହୋଇନଥିଲା ।

ଯେଉଁମାନଙ୍କର ଯୋଗ୍ୟତା ନାହିଁ ତାଙ୍କୁ ଦଳୀୟ ଟିକେଟ ମିଳିଛି । ପୁଅକୁ ଦଳ ଟିକେଟ ନଦେବାରୁ ସେ ମର୍ମାହତ ବୋଲି ମଧ୍ୟ କହିଛନ୍ତି । ଏହାପରେ ସେ ବିଜେଡି ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ, ଯଦି ଆଲୋଚନାରେ ସୁଫଳ ନମିଳେ ତେବେ ସେ ଇସ୍ତଫା ଦେବେ ବୋଲି ମଧ୍ୟ କହିଥିଲେ । ତେବେ ସେ ଇତି ମଧ୍ୟରେ ଦଳରୁ ଇସ୍ତାଫ ଦେଇ ସାରିଛନ୍ତି । ସେ ଭଦ୍ରକ ଜିଲ୍ଲା ସଭାପତି ଏବଂ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଜେଡି ଶିବିରରେ ଛନକା ପଶିଛି । ଦଳର ବହୁ ବଡ଼ ବଡ଼ ନେତା, ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ବିଜେଡି ଏକ ପ୍ରକାର ଛିଡିଯାଇଥିବା ଲକ୍ଷ୍ୟ କରାଯାଉଛି । ପୂର୍ବରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରେଜେଶ୍ୱରୀ, ନବଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମଧ୍ୟ ବିଜେଡିକୁ ବାଏବାଏ କରିସାରିଛନ୍ତି ।

Leave A Reply

Your email address will not be published.