ବାତ୍ୟା ଜୱାଦ: ୫୦୭ କୋଟି ଟଙ୍କାର କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ବାତ୍ୟା ଜୱାଦ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୫୦୭ କୋଟି ଟଙ୍କାର ସହାୟତା ଘୋଷଣା ହୋଇଛି । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।

ସବୁଦିନିଆ ଫସଲ କ୍ଷତି ପାଇଁ ଇନପୁଟ ସବସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ। ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ ଡିବିଟି ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।

ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍‌ସ ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ।

ଏହା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ ।

ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ରିହାତି ଚାଷୀଙ୍କୁ ଡିବିଟି ଜରିଆରେ ପ୍ରଦାନ କରାଯିବ । ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ ।

Related Posts