ବାପ-ପୁଅ କୋଟିପତି

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି କୋଟିପତି । ସେହିପରି ବିଧାନସଭା କ୍ଷେତ୍ରରେ ୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି ।

ବିଜେଡ଼ିରେ ସର୍ବାଧିକ ୨୭ ଜଣ, କଂଗ୍ରେସର ୨୩ ଜଣ ଓ ବିଜେପିର ୨୦ ଜଣ ପ୍ରାର୍ଥୀ କୋଟିପତି । ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ବେଳେ ବିଧାନସଭା ଆସନରେ ଲଢ଼ୁଥିବା ନିରଞ୍ଜନ ପଟ୍ଟନାୟକ ମଧ୍ୟ ସବୁଠାରୁ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି ।

ଲୋକସଭା ପ୍ରାର୍ଥୀମାନଙ୍କ ମଧ୍ୟରୁ କୋଟିପତି ତାଲିକାର ଶୀର୍ଷରେ ଅଛନ୍ତି ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ତାଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତି ମିଶି ପ୍ରାୟ ୧୦୪ କୋଟି ଟଙ୍କା ହେବ । ୧୦୭ କୋଟି ଟଙ୍କା ଋଣ କରି ସବୁଠୁ ଅଧିକ ଟଙ୍କା ଋଣ କରିଥିବା ପ୍ରାର୍ଥୀ ତାଲିକାର ଶୀର୍ଷରେ ମଧ୍ୟ ସେ ଅଛନ୍ତି ।

ତାଙ୍କ ପଛକୁ ଥିବା ବାଲେଶ୍ୱର ଆସନର କୋଟିପତି ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କର ସମୁଦାୟ ସମ୍ପତିର ମୂଲ୍ୟ ୭୨ କୋଟି ଟଙ୍କା । କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ କୋଟିପତି ପ୍ରାର୍ଥୀ ତାଲିକା ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ଅସ୍ଥାବର ଓ ସ୍ଥାବର ସମ୍ପତିର ମୋଟ ମୂଲ୍ୟ ପ୍ରାୟ ୫୭ କୋଟି ଟଙ୍କା ।

ଭଦ୍ରକ ଆସନର ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୪ କୋଟିରୁ ଅଧିକ ମୂଲ୍ୟର ସମ୍ପତିର ଅଧିକାରୀ ହୋଇ କୋଟିପତି ପ୍ରାର୍ଥୀ ତାଲିକାରେ ସ୍ଥାନିତ ହୋଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କର ସମ୍ପତିର ମୂଲ୍ୟ ମଧ୍ୟ ୪ କୋଟିରୁ ଅଧିକ । ଜଗତସିଂହପୁର ଆସନର ବିଜେଡି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକଙ୍କର ସମ୍ପତିର ମୂଲ୍ୟ ୪ କୋଟିରୁ ଅଧିକ ହେବ । ଭଦ୍ରକ ଆସନର ବିଜେଡି ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳଙ୍କର ସମ୍ପତିର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ।

ମୟୂରଭଞ୍ଜ ନିର୍ବାଚନ ମଣ୍ଡଳୀର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥିନୀ ଅଞ୍ଜନି ସୋରେନଙ୍କର ସମ୍ପତିର ମୂଲ୍ୟ ୨ କୋଟିରୁ ଅଧିକ ହେବ । ଯାଜପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅମୀୟକାନ୍ତ ସେଠୀଙ୍କର ସବୁ ସମ୍ପତି ମିଶି ୨ କୋଟିରୁ ଅଧିକ ଟଙ୍କା ହେବ । ଭଦ୍ରକ ଆସନର ଜାତୀୟ କଂଗ୍ରେସ ପ୍ରାର୍ଥିନୀ ମଧୁମିତା ସେଠୀଙ୍କର ସମ୍ପତି ମଧ୍ୟ ୨ କୋଟିରୁ ବେଶୀ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଓଡ଼ିଆ ଅଭିନେତା ଅନୁଭବ ମହାନ୍ତିଙ୍କ ସମ୍ପତି ମଧ୍ୟ ୨ କୋଟିରୁ ଅଧିକ । ବାଲେଶ୍ୱର ଆସନର ଅମ୍ବେଦକର ନ୍ୟାସନାଲ କଂଗ୍ରେସର ପ୍ରାର୍ଥୀ ମହମ୍ମଦ ଅଲିଙ୍କ ପାଖରେ ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତି ରହିଛି ।

ଯାଜପୁର ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀଙ୍କର ସମ୍ପତିର ମୂଲ୍ୟ ୧ କୋଟିରୁ ଅଧିକ । ଯାଜପୁର କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ସମ୍ପତି ମଧ୍ୟ ୧ କୋଟିରୁ ଅଧିକ । ଯାଜପୁର ଜୟପ୍ରକାଶ ଜନତା ଦଳ ପ୍ରାର୍ଥୀ ଶଙ୍କର ବେହେରାଙ୍କ ପାଖରେ ଥିବା ସମ୍ପତିର ମୂଲ୍ୟ ବି ୧ କୋଟି ଟଙ୍କାରୁ ବେଶୀ । ମୟୂରଭଞ୍ଜ ବିଜେଡି ପ୍ରାର୍ଥୀ ଡକ୍ଟର ଦେବାଶିଷ ମାର୍ଣ୍ଡିଙ୍କର ସମ୍ପତିର ମୂଲ୍ୟ ୧ କୋଟିରୁ ଅଧିକ ଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

ସେହିପରି ଭଣ୍ଡାରୀପୋଖରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ନିରଞ୍ଜନ ପଟ୍ଟନାୟକ ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି । ଜଗତସିଂହପୁରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଞ୍ଜିବୀ ବିଶ୍ୱାଳ ଦ୍ୱିତୀୟ ଓ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ତୃତୀୟ ଧନୀ ପ୍ରାର୍ଥୀ ।

ରିପୋର୍ଟରେ ଥିବା ତଥ୍ୟ ଅନୁସାରେ ନିରଞ୍ଜନଙ୍କ ସମ୍ପତି ୬୦ କୋଟିରୁ ଅଧିକ ବୋଲି ଜଣାପଡ଼ିଛି । ଅନ୍ୟପଟେ ଚିରଞ୍ଜିବୀ ବିଶ୍ୱାଳଙ୍କ ସମ୍ପତି ୩୩ କୋଟିରୁ ଅଧିକ ଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ସମ୍ପତି ୧୭ କୋଟିରୁ ଅଧିକ ବୋଲି ଏଡ଼ିଆର ରିପୋର୍ଟରୁ ଜଣାପଡ଼ିଛି ।

ଏଡ଼ିଆର ରିପୋର୍ଟ ଅନୁସାରେ ବିଜେପିରେ ୪୦ରୁ ୨୪ ଜଣ ଅର୍ଥାତ ୬୦ ପ୍ରତିଶତ ଦାଗୀ ନେତା ଅଛନ୍ତି । କଂଗ୍ରେସରେ ୩୯ ରୁ ୧୨ ଜଣ(୩୧ ପ୍ରତିଶତ) ଓ ବିଜେଡ଼ିରେ ୩୯ରୁ ୧୫ (୩୯ ପ୍ରତିଶତ) ଜଣ ଦାଗୀ ନେତା ଅଛନ୍ତି । ଏଡ଼ିଆର ରିପୋର୍ଟ ଅନୁସାରେ ମୋଟ ୩୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ ପ୍ରତିଶତ ଦାଗୀ ନେତା ଅଛନ୍ତି ।

୫କୋଟି ଟଙ୍କାରୁ ଅଧିକ ସମ୍ପଲି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୬ ଥିବାବେଳେ ୨ରୁ ୫କୋଟି ଟଙ୍କା ମଧ୍ୟରେ ସମ୍ପତି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୩୨ । ସେହିଭଳି ୫୦ଲକ୍ଷରୁ ୨କୋଟି ଟଙ୍କାର ସମ୍ପତି ଥିବା ୬୫ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ୧୦ଲକ୍ଷରୁ ୫୦ଲକ୍ଷ ଟଙ୍କାର ସମ୍ପତି ରହିଛି ୮୧ଜଣଙ୍କର । ୧୦ ଲକ୍ଷ ଟଙ୍କାରୁ କମ ପରିମାଣର ସମ୍ପତି ଥିବା ୧୪୦ ଜଣ ବି ବିଧାନସଭା ପାଇଁ ଲଢୁଛନ୍ତି । ବିଜେଡିର ୬୯ ପ୍ରତିଶତ ଅର୍ଥାତ ୨୭ଜଣ ପ୍ରାର୍ଥୀ କୋଟିପତି ତାଲିକାରେ ଥିବାବେଳେ କଂଗ୍ରେସର ୫୯ ପ୍ରତିଶତ ଅର୍ଥାତ ୨୩ ଜଣ ବିଜେପିର ୫୦ ପ୍ରତିଶତ ଅର୍ଥାତ ୨୦ଜଣ ଏହି ତାଲିକାରେ ଅଛନ୍ତି ।

Leave A Reply

Your email address will not be published.