ବିଜେଡ଼ି ବିଧାୟକଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ: ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବାଣ୍ଟୁଛନ୍ତୁ ଶାଢ଼ି, ଟାଓ୍ୱଲ୍, ଟର୍କିସ୍ !

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଆପଣାଉଛନ୍ତି ବିଭିନ୍ନ ପ୍ରକାର ତରିକା । କେହି କେହି ଟଙ୍କାର ପ୍ରଲୋଭନ ଦେଖାଉ ତ ଆଉ କେହି ଶାଢ଼ି, ଟାଓ୍ୱଲ୍ ଓ ଟରକିସ୍‌ ବାଣ୍ଟି ଭୋଟ୍‌ । ତେବେ ଗତକାଲି ଏପରି କିଛି ଘଟଣା ସାମ୍ନାକୁ ଆସିଛି । ଗତକାଲି ବିଜେଡି ବିଧାୟକ ତଥା ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ି, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ପରେ ତାଙ୍କ ଗାଡ଼ିକୁ ଜବତ କରିଛନ୍ତି ପାପଡ଼ାହାଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ତଥା ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ। ବିଧାୟକଙ୍କ ଗାଡ଼ିକୁ ଥାନାକୁ ଅଣାଯାଇ ତହସିଲଦାରଙ୍କ ଦାରଙ୍କ ଉପସ୍ଥିତିରେ ୨୮୪ଟି ଶାଢ଼ି, ୫୦୦ଟି ଟାଓ୍ୱଲ୍, ୧୫୮ଟି ଟର୍କିସ୍ ଓ ୧୬୨ଟି ଉତ୍ତରୀୟ ଜବତ କରାଯାଇଛି। ଅନ୍ୟପକ୍ଷରେ ରାଜନୀତିକ ଚକ୍ରାନ୍ତ କହି ବିଧାୟକ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏକ ସଭାରେ ଲୋକଙ୍କୁ ଶାଢ଼ି, ଟାଓ୍ୱଲ୍, ଟର୍କିସ୍ ଓ ଉତ୍ତରୀୟ ବାଣ୍ଟି ଅନ୍ୟ ଏକ ଗାଁକୁ ଯାଉଥିଲେ। ଏହି ସମୟରେ କଣ୍ଟାବାଲ ପଞ୍ଚାୟତର ରଣ୍ଡାଗୁଡ଼ା ନିକଟରେ ସ୍ଥାନୀୟ ଲୋକେ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ। ପରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ପାପଡ଼ାହାଣ୍ଡି ଜିଲ୍ଲା ପରିଷଦ ଜୋନ ୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ମାଝୀ ସେଠାରେ ପହଞ୍ଚି ଏହି ବିଷୟରେ ପୁଲିସ ଓ ପାପଡ଼ାହାଣ୍ଡି ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଖବର ଦେଇଥିଲେ। ସେଠାରେ ଲିପିକାଙ୍କ ବାପା ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ ଓ ମନୋହର ରନ୍ଧାରୀଙ୍କ ମଧ୍ୟରେ ଯୁକ୍ତିତର୍କ ବି ହୋଇଥିଲା।

ପରେ ପୁଲିସ ସେଠାରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ଥାନାକୁ ନେଇଥିଲା। ପାପଡ଼ାହାଣ୍ଡି ବ୍ଲକ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ଗାଡ଼ିରୁ ଶାଢ଼ି, ଟାଓ୍ୱଲ୍, ଟର୍କିସ୍ ଓ ଉତ୍ତରୀୟ ଜବତ କରାଯାଇଥିଲା।

କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଲିପିକା ମାଝୀ ବିଧାୟକ ଶ୍ରୀ ରନ୍ଧାରୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଭୋଟ୍‌ ହାତେଇବା ପାଇଁ ବିଧାୟକ ଏପରି କରୁଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମନୋହର ରନ୍ଧାରୀ ଖଣ୍ଡନ କରିଛନ୍ତି।

Related Posts