ବିଜେଡିରେ ମିଶିବେ ସୁବାସ ଚୌହାନ!

ବିଜେପି ନେତା ସୁବାସ ଚୌହାନ ବିଜେପି ଛାଡ଼ି ଦିନେ ଦୁଇଦିନ ମଧ୍ୟରେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି । ବରଗଡ଼ ଲୋକସଭା ଆସନରୁ ଚଳିତଥର ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଶ୍ରୀ ଚୌହାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରିଛନ୍ତି । ଏହା ସହିତ ବିଜେପୁର ବିଧାନସଭା ଆସନରୁ ସେ ଦଳୀୟ ପ୍ରାର୍ଥୀ ହେବାକୁ ରୋକଠୋକ୍ ମନା କରିଦେଇଥିବା ଜଣାପଡ଼ିଛି ।

ସୂଚନାନୁସାରେ ଶ୍ରୀ ଚୌହାନଙ୍କର କିଛି ଖାସ ସମର୍ଥକଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଶ୍ରୀ ଚୌହାନ ସମ୍ଭବତଃ ମଙ୍ଗଳବାର ନବୀନ ନିବାସରେ ପହଞ୍ଚି ବିଜେଡିରେ ସାମିଲ ହୋଇପାରନ୍ତି । ଶ୍ରୀ ଚୌହାନଙ୍କ ବଦଳରେ ବରଗଡ଼ ଲୋକସଭା ଆସନରୁ ସୁରେଶ ପୂଜାରୀଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ଚୌହାନ ଆଜି ସୋଶାଲ ମିଡିଆରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ୩୦ବର୍ଷ ଧରି ସେ ରାଷ୍ଟ୍ରସେବା କରିବାର ସୁଯୋଗ ପାଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ୩.୭୨ଲକ୍ଷ ଭୋଟ ପାଇଥିଲେ ।

ସେ କହିଛନ୍ତି ଯେ ଗତ ୫ବର୍ଷ ଧରି କଠିନ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କ ସୁଖ ଦୁଃଖର ସାଥୀ ହୋଇପାରିଛନ୍ତି । ବରଗଡ଼ର ଲୋକମାନେ ତାଙ୍କୁ ବିପୁଳ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ଟିକେଟ କାଟି ଦିଆଯାଇଛି । ଲୋକଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ୱ ଦିଆଯିବା ସହ ବିଜେପୁରରୁ ଲଢିବାକୁ କୁହାଯାଇଛି । କିନ୍ତୁ ସେ ବିଜେପୁର ପାଇଁ ବିଜେପି ଟିକେଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେ କହିଛନ୍ତି ଯେ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବାରୁ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ଲଢିବା ଠିକ ହେବ । ଧର୍ମେନ୍ଦ୍ରଙ୍କ ଭଳି ବିତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଫଳ ଓଲଟା ହେଲା । ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପ୍ରତି ଅପମାନ ବୋଲି ଶ୍ରୀ ଚୌହାନ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମତ ରଖିଛନ୍ତି ।

Comments are closed.