ବିଜେଡିରେ ମିଶିଲେ ତୁଷାରକାନ୍ତି

ବିଜେପିକୁ ଝଟକା

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ପୁଣିଥରେ ଲାଗିଛି ଝଟକା । ଆନନ୍ଦପୁର ପରେ ମଙ୍ଗଳବାର କାକଟପୁରର ବିଜେପି ବିଧାୟକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଭାଜପା ନେତା ତୁଷାରକାନ୍ତି ବେହେରା ଓ ତାଙ୍କ ସମର୍ଥକମାନେ ନବୀନ ନିବାସ ଆସି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ।

ବିଜେଡିରେ ସାମିଲ ହେବା ପରେ ତୁଷାର କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି । ଏପରିକି ତାଙ୍କ ଭଳି ଉଚ୍ଚଶିକ୍ଷିତ ଯୁବପିଢ଼ି ବିଜେଡିରେ ସାମିଲ ହେବା ଲାଗି ସେ ଆହ୍ୱାନ ଦେଇଛନ୍ତି ।

୨୦୧୪ ନିର୍ବାଚନରେ ତୁଷାର ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ଚଳିତ ନିର୍ବାଚନ ଲାଗି ଦଳ ମଧ୍ୟ ତାଙ୍କୁ ଟିକେଟ ଦେଇଥିଲା । ମାତ୍ର ସେ ହଠାତ ବିଜେପି ଛାଡ଼ିବା ନିଷ୍ପତି ନେଇ ଦଳକୁ ଝଟକା ଦେଇଥିବା କୁହାଯାଉଛି ।

ଅପରପକ୍ଷେ ବିଜେଡି କାକଟପୁରରେ ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି । ଆନନ୍ଦପୁରରେ ଭାଗିରଥୀ ସେଠୀ ବିଜେଡିକୁ ଆସି ଟିକେଟ ହାତେଇ ଥିବା ବେଳେ ତୁଷାରକାନ୍ତିଙ୍କର ଲଢ଼ିବାର ସମ୍ଭାବନା ନାହିଁ । ଏହାସତ୍ୱେ ତାଙ୍କର ଦଳରେ ଯୋଗଦାନ ଅନେକଙ୍କୁ ଚକିତ କରିଥିବା ବେଳେ ବିଜେପିକୁ ଅକଳରେ ପକାଇଛି ।

Leave A Reply

Your email address will not be published.