ବିଜେଡି, ବିଜେପିର ହାଇଟେକ୍ ପ୍ରଚାରକୁ ସତ୍ୟଙ୍କ ଗରିଲା ପ୍ରଚାର

ଦରକାର ନାହିଁ ରାଲି । ଦରକାର ନାହିଁ ଅଜଥା ଖର୍ଚ୍ଚ । ରାଜନୀତି ପାଇଁ ଦରକାର ଲୋକଙ୍କ ସହ ମିଶ ଆଉ ତାଙ୍କୁ ସାମ୍ନା କର । କେତେବେଳେ କ୍ଲବ ଘରେ ତ କେତେବେଳେ ଚା ଖଟିରେ । ସାଧାରଣ ଲୋକଙ୍କ ସହ ମିଶି ପୁରା ନିଆରା ଢଙ୍ଗରେ ପୁରୀରେ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ । ରାଜନୀତିର ଭାଷାରେ ଯାହାକୁ ଗରିଲା ଷ୍ଟାଇଲ କୁହାଯାଏ ସେହି ଢଙ୍ଗରେ ପ୍ରଚାର କରୁଛନ୍ତି ସତ୍ୟ ପ୍ରକାଶ । ଯାହା ଏବେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

ବିଜେପି ନିଜ ହାଇଟେକ ଷ୍ଟାଇଲରେ ପ୍ରଚାର କରୁଛି । ଦଳୀୟ ପ୍ରାର୍ଥୀ ଡଃ ସମ୍ବିତ ପାତ୍ରଙ୍କ ଦାମୀ କାର୍ ଆଗରେ ପଛରେ ଦଶ ଦଶଟା ପ୍ରଚାର ଗାଡି, ଏଲଇଡି ଭ୍ୟାନ ଓ ପାର୍ଟି ଏସକଟ୍ ଚକ୍କର କାଟୁଛି । ଲୋକେ ତ କହୁଛନ୍ତି କେବଳ ଲୋକ ଦେଖାଣିଆ ଭାବେ ମନ୍ଦିରରେ ପୂଜାର୍ଚ୍ଚନା ଆଉ ସୋସିଆଲ୍ ମିଡ଼ିଆରେ ପୋଷ୍ଟିଂ ପାଇଁ ଲୋକଙ୍କ ଘରେ ଚକୁଳି ଘୁଗୁନି ଖାଉଛନ୍ତି ସମ୍ବିତ । ହେଲେ ଲୋକଙ୍କ ସହ କଥା ହେଉ ନାହାଁନ୍ତି । ଖାଲି ଯାହା ରାଲି ଗଡୁଛି, ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତ ଦଳ ଖାସ ନିର୍ବାଚନ ପାଇଁ ଗୋଟିଏ ବିଶାଳ ଓ ଭବ୍ୟ ପାଲେସ୍ ନିଆଯାଇଛି ୱାର ରୁମ୍ ପାଇଁ ।

ସେପଟେ ପିନାକୀ ବି ପଛରେ ନାହାଁନ୍ତି। ତାଙ୍କ ପାଇଁ ବି ଦାମୀ ଗାଡି ବୁଲୁଛି । ଏଲଇଡି ପ୍ରଚାର ଗାଡି ବୁଲି ବୁଲି ପିନାକୀଙ୍କୁ ଭୋଟ ଦେବାକୁ କହୁଛି । ଯଦିଓ ପିନାକୀ ଏଯାଏଁ ଗାଡିରୁ ତଳକୁ ଓହ୍ଲାଇ ନାହାଁନ୍ତି କିନ୍ତୁ ଗାଡିରେ କିଛି କିଛି ଯାଗାରେ ବୁଲୁଛନ୍ତି ।

ତେବେ ଏମିତି ବ୍ୟୟବହୁଳ ପ୍ରଚାର ତରିକାରୁ ହଟିଯାଇ ନିଆରା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସତ୍ୟ ପ୍ରକାଶ । ବାଇକରେ ବସି ଲୋକଙ୍କ ଖଟିରେ ଲୋକଙ୍କ ସହ ମିଶୁଛନ୍ତି ସତ୍ୟ । ମହିଳା ସମିତି, ଯୁବକ ସଂଘ ଅବା ଚା ଖଟି ସବୁଠି ଥାକ ଦେଖି ପହଞ୍ଚି ଯାଉଛନ୍ତି ସେ ।

ଅବଶ୍ୟ ସତ୍ୟ ନାୟକଙ୍କ ଏହି ଅନ୍ଦାଜ୍ ଦେଖି ତାଙ୍କୁ ଏ ବିଷୟରେ ଆମେ ପଚାରିଥିଲୁ । ଏ ନେଇ ସତ୍ୟ କୁହନ୍ତି,
ଅନ୍ୟମାନେ ଏଇଥି ପାଇଁ ଏକା ବୁଲୁ ନାହାଁନ୍ତି । କାରଣ ସେମାନେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବେ ନାହିଁ । ଭୟାଳୁ ଯିଏ ଭିଡ ଭିତରେ ରୁହେ । ମୁଁ ଲୋକଙ୍କ ପାଖରେ ରୁହେ, ଲୋକଙ୍କ ପାଖରେ ରହିଛି । ମୁଁ ଲୋକଙ୍କ ପ୍ରତିନିଧି । ତେଣୁ ମୁଁ ମୋ ଷ୍ଟାଇଲରେ ବୁଲୁଛି ।

Leave A Reply

Your email address will not be published.