ବିଜେପିକୁ ଧୋକା ଦେଲେ ଭାଗିରଥୀ

ବିଜେଡିରେ ମିଶିଲେ

ଓଡ଼ିଶା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଆଖି ପଲକ ପଡ଼ିବା ମାତ୍ରେ ଚିତ୍ର ବଦଳି ଯାଉଛି । କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ବିଜେପି ଯାହା ଉପରେ ଆସ୍ଥା ପ୍ରକଟ କରିଥିଲା ସେ ଏବେ ଦଳକୁ ବଡ଼ ଧୋକା ଦେଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ସେ ବିଧିବଦ୍ଧଭାବରେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି ।

ଚଳିତ ନିର୍ବାଚନ ମଇଦାନରେ ବିଜେପି ଆନନ୍ଦପୁରରେ ଭାଗିରଥୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଦଳ ସହିତ ବିଶ୍ୱାସଘାତକତା କରିଥିବା ଜଣାପଡ଼ିଛି । ସେ ଆଜି ବିଜେଡ଼ିର ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି । ଏହା ପଛରେ ଏକ ଯୋଜନା କାର୍ଯ୍ୟ କରୁଥିବା ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଭାଗିରଥୀ ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ଟିକେଟ ନ ପାଇବା ପରେ ସେ ଦଳ ଛାଡ଼ିଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରୁ ଟିକେଟ୍ ପାଇବା ସତ୍ୱେ ଭାଗିରଥୀ କାହିଁକି ପୁଣି ବିଜେଡିକୁ ଫେରିଲେ, ତାହା ଜଣାପଡ଼ିନାହିଁ । ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବିଜେଡି ତାଙ୍କୁ ଆନନ୍ଦପୁରରୁ ଟିକେଟ ଦେବ ବୋଲି କୁହାଯାଉଛି ।

୨୦୦୯ରେ ବିଜେଡି ପକ୍ଷରୁ ବିଧାୟକ ହୋଇଥିବା ଭାଗୀରଥିଙ୍କୁ ୨୦୧୪ ନିର୍ବାଚନରେ ଦଳ ପକ୍ଷରୁ ଟିକେଟ ମିଳିନଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ଫଳରେ ତାଙ୍କୁ ବିଜେଡି ପକ୍ଷରୁ ବହିଷ୍କାର କରାଯାଇଥିଲା । ପରବର୍ତୀ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ ।

ଅପରପକ୍ଷରେ ଉକ୍ତ ନିର୍ବାଚନରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ମାୟାଧର ଜେନାଙ୍କୁ ଦଳ ଟିକେଟ ଦେଇଥିଲା । ସେ କଂଗ୍ରେସର ତକ୍ରାଳୀନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ଏବେ ବି ସେ ବିଜେଡି ପକ୍ଷରୁ ଟିକେଟ ଆଶାୟୀ ଥିବା ବେଳେ ଭାଗୀରଥିଙ୍କ ବିଜେଡିରେ ଯୋଗଦାନକୁ ତାଙ୍କ ସମର୍ଥକମାନେ ଗ୍ରହଣ କରିପାରୁନାହାନ୍ତି ।

ନିକଟରେ ବିଜେଡିରେ ଯୋଗଦେଇ ପତିଆରା ବୃଦ୍ଧି କରି ଚାଲିଥିବା ଜଣେ ନେତାଙ୍କ ଏଭଳି କାରସାଦିଙ୍କୁ ମାୟାଧରଙ୍କ ସମର୍ଥକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ବିଜେଡିରୁ ବିଜେପି ପୁଣି ବିଜେପିରୁ ବିଜେଡିକୁ ଡେଉଁଥିବା ନେତାଙ୍କୁ ପ୍ରାର୍ଥୀ କରାଗଲେ ତାଙ୍କୁ ନିର୍ବାଚନରେ ପାନେ ଦିଆଯିବ ବୋଲି ମାୟାଧରଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.