ବିଜେପିକୁ ବାଏ ବାଏ

ଦଳ ଛାଡ଼ିଲେ ସୁବାସ ଚୌହାନ

ବିଜେପି ଛାଡ଼ିଲେ ବରଗଡ଼ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ । ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦଳ ଛାଡ଼ିଛନ୍ତି ସୁବାସ ।

ତେବେ ନିକଟରେ ବରଗଡ଼ ଲୋକସଭା ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ନଦେଇ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଥିଲା । ଯାହାକୁ ନେଇ ସୁବାସ କ୍ଷୁବ୍ଧ ହୋଇଥିଲେ । ଏପରିକି ସୁବାସଙ୍କ ସମର୍ଥକମାନେ ବରଗଡ଼ରେ ଦଳ ବିରୋଧୀ ନାରା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ ।

ଏହାପରେ ସୁବାସଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ତାଙ୍କୁ ରାଜ୍ୟ ଉପସଭାପତି ଲୋଭଦେଇ ମନାଇବାକୁ ଚେଷ୍ଟା କଲା କିନ୍ତୁ ଏହା ଲାଭଦାୟକ ହେଲାନାହିଁ । ଶେଷରେ ଦଳ ଛାଡ଼ିଛନ୍ତି ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ନେତା ।

ଗତକାଲି ସୁବାସଙ୍କ ଏକ ମୋବାଇଲ ମେସେଜ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସୁବାସ କହିଥିଲେ ଯେ ବିଜେପି ତରଫରୁ ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ୍ ଦେଇ ଲୋକେ ସମର୍ଥନ କଲେ ।

ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ଟିକଟ କାଟି ଦିଆଗଲା । ଏପରିକି ଆଗାମୀ ନିର୍ବାଚନରେ ବିଜେପୁରରୁ ନବୀନଙ୍କ ବିପକ୍ଷରେ ଧର୍ମେନ୍ଦ୍ରଙ୍କୁ ଲଢିବା ପାଇଁ ଖୋଲାଖୋଲି ଆହ୍ୱାନ କରିଥିଲେ । ଯାହାକି ବିଜେପି ଶିବିରରେ ହଟଚମଟ ସୃଷ୍ଟି କରିଥିଲା ।

ଅନ୍ୟପଟେ ଇସ୍ତଫା ଦେବାପରେ ତାଙ୍କ ଆଗାମୀ ରାଜନୈତିକ ପଦକ୍ଷପ କ’ଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଟିକେଟ୍ ତାଲିକା ଆସିବା ପରଠାରୁ ବିଜେପିରେ ବିଦ୍ରୋହ ଜୋର ଧରିଥିବା ବେଳେ ଜଣକ ପରେ ଜଣେ ଟାଣୁଆ ନେତାମାନେ ହାତ ଛାଡ଼ି ଦେଉଛନ୍ତି ଯାହା ବିଜେପିର ମିଶନ ୧୨୦କୁ ନେଇ ପ୍ରଶ୍ନବାଚୀ ଉଠାଇଛି ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.