ବିଜେପିରେ ମିଶିଲେ ଅର୍ଜୁନ ଓ ମୋହନ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ । ପୁଅକୁ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଆଜି ସକାଳେ ବିଜେଡି ଛାଡ଼ିଥିବା ଅର୍ଜୁନ ଅପରାହ୍ଣରେ ବିଜେପିରେ ମିଶିଛନ୍ତି । ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି ।

ଅର୍ଜୁନଙ୍କ ସହିତ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେ ବି ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଏ ଦୁଇ ନେତାଙ୍କ ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଅର୍ଜୁନ ସେଠୀ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ ଯେ ଗତ କିଛି ମାସ ମଧ୍ୟରେ ମୁଁ ଆପଣଙ୍କୁ ବାରମ୍ବାର ଭେଟିଥିଲି । ୟା ଭିତରେ ଆପଣ ମୋତେ ପ୍ରତିଶ୍ରୁତି ଦେଇଥିଲେ ଯେ ମୋ ପୁଅକୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯିବ । କିନ୍ତୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ତାଙ୍କର କିମ୍ବା ତାଙ୍କ ପୁଅର ନାଁ ନଥିଲା ।

ସେ ଆହୁରି ଲେଖିଥିଲେ,ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଯାଇଥିଲି । ଆପଣଙ୍କୁ ଭେଟିବାକୁ ନବୀନ ନିବାସରେ ମୁଁ ୪ ଘଣ୍ଟା ଧରି ଅପେକ୍ଷା କରିଥିଲି । ଏହା ସତ୍ତେ୍ୱ ଆପଣଙ୍କ ପାୱାର କରିଡର ମୋତେ ଆପଣଙ୍କ ସହିତ ଭେଟିବାକୁ ସୁଯୋଗ ଦେଇ ନଥିଲା । ଏ ବୟସରେ ଏଭଳି ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତି ମୋ ପାଇଁ ଗ୍ରହଣୀୟ ନଥିଲା । ମୁଁ ଅନୁଭବ କଲି ବିଜେଡି ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଭୁଲି ଯାଇଛି ।

ସେ ଲେଖିଥିଲେ ଯେ ବିଜେଡି ଓ ଆପଣ ନିଜେ ଏହା ସ୍ପଷ୍ଟ କରି ଦେଲେ ଯେ ଦଳରେ ଆଉ ମୋର କିଛି ଆବଶ୍ୟକତା ନାହିଁ । ଏ ବୟସରେ ଏହା ମୋ ପାଇଁ ବଡ଼ ଝଟକାୟ ଏହା ମୋତେ ଖୁବ୍ ବାଧିଛି । ତେଣୁ ମୁଁ ଇସ୍ତଫା ଦେଉଛି । ସୂଚନାଯୋଗ୍ୟ, ଅର୍ଜୁନ ସେଠୀ ୫ ଥର ବିଜେଡି ଟିକେଟରେ ଲୋକସଭାକୁ ଯାଇଥିବା ବେଳେ ଥରେ ଜନତା ଦଳ ଓ ଦୁଇ ଥର କଂଗ୍ରେସ ଟିକେଟ ଯାଇଥିଲେ । ସବୁଥର ସେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ।

ଅନ୍ୟପକ୍ଷରେ ଦୁଇ ଦିନ ତଳେ ବିଜେଡି ଛାଡ଼ିଥିବା ମୋହନ ଜେନା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଯେ ବିଜେଡି ଏବେ ଏକ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ପରିଣତ ହୋଇଯାଇଛି । ଜଣେ ଆଇଏଏସ୍ ଅଫିସର ଓ ତାଙ୍କର ୪/୫ଜଣ ବୋଲକରା କ୍ଷମତାକୁ କରାୟତ କରିଛନ୍ତି । ଦଳକୁ ଏକ ଗୋପନୀୟ ଦଲିଲରେ ପରିଣତ କରାଯାଇଛି ।

ସୂଚନାଯୋଗ୍ୟ, ମୋହନ ଜେନା ବିଜେଡି ଟିକେଟ ଦୁଇ ଥର ଯାଜପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ଓ ୨୦୦୯ରେ ସେ ନିବାଚିତ ହୋଇ ଲୋକସଭାକୁ ଯାଇଥିଲେ । ତେବେ ୨୦୧୪ରେ ଦଳ ରୀତା ତରାଇଙ୍କୁ ଟିକେଟ ଦେଇଥିଲା । ସେହିପରି ଦଳ ଏଥର ଶର୍ମିଷ୍ଠା ସେଠୀଙ୍କୁ ଟିକେଟ ଦେଇଛି ।

Leave A Reply

Your email address will not be published.