ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁ ଆଶ୍ୱସ୍ତ

ଇସ୍ତଫାପତ୍ର ଗୃହୀତ

ଶେଷରେ ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୂଦାନ ମୁର୍ମୁ ଜଣେ ଡାକ୍ତର । ସେ ମୟୂରଭଞ୍ଜ ଜିଲ୍ଲା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରୁଥିଲେ । ସାଧାରଣ ନିର୍ବାଚନ ଲଢିବା ପାଇଁ ସେ ୬ ମାସ ତଳୁ ତାଙ୍କ ଇସ୍ତଫାପତ୍ର ବିଭାଗୀୟ କର୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ । ହେଲେ ବୁଧବାର ପର୍ଯ୍ୟନ୍ତ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିନଥିଲେ । ଏଥିପାଇଁ ଡାକ୍ତର ଭୂଦାନ ମୁର୍ମୁ ଭାରି ବ୍ୟସ୍ତ ହୋଇପଡ଼ିଥିଲେ । କାରଣ ବିଜେପି ତାଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ଓ ଏଥିପାଇଁ ଆସନ୍ତ ୯ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ।

ଇସ୍ତଫାପତ୍ର ଗୃହୀତ ହେଉ ନଥିବା ଯୋଗୁ ବୁଧବାର ଭୂଦାନଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କ ନିକଟରେ ଏ ବିଷୟରେ ଫେରାଦ ହେବା ସହିତ ଦିନ ତମାମ ଧାରଣା ଦେଇଥିଲେ । ଆଜି ମଧ୍ୟ ଡାକ୍ତର ଭୂଦାନ ମୁର୍ମୁ ଓ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ ।

ଇସ୍ତଫାପତ୍ର ଗୃହୀତ ହେବା ପରେ ଭୂଦାନ କହିଛନ୍ତି ଯେ ଡାକ୍ତରୀ ପେଶାରେ ସେ କେବଳ ରୋଗୀମାନଙ୍କ ସେବା କରିପାରୁଥିଲେ । ରାଜନୀତିକୁ ଆସିବା ପରେ ସମାଜର ସାମୂହିକ ସେବା କରିବାକୁ ସୁଯୋଗ ପାଇବେ । ସୂଚନାଯୋଗ୍ୟ, ସାରସକଣା ଆସନରେ ବିଜେଡି ଅମର ସିଂ ଟୁଡୁଙ୍କୁ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.