ବିଜୟଙ୍କୁ ନେଇ ଚର୍ଚ୍ଚା

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମନାଇବା ପାଇଁ ଭାଜପା ତା’ର ସମସ୍ତ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ଭାଜପା ବିଧାୟକ ଦଳ ନେତା କେ.ଭି ସିଂଦେଓ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶନିବାର ବିଜୟଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମ୍ପର୍କରେ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭାଜପାରୁ ଇସ୍ତଫା ଦେବା ପରେ ବି ବିଜୟ ଏଯାଏ କେଉଁଆଡ଼େ ଯାଇନାହାନ୍ତି । ତେଣୁ ତାଙ୍କୁ ମନାଇ ପୁନର୍ବାର ଭାଜପାକୁ ଆଣିବା ପାଇଁ ଚେଷ୍ଟା ଚାଲିଛି । ବିଜୟଙ୍କ ସହ ଭାଜପା ନେତାଙ୍କ ସାକ୍ଷାତକୁ ଦଳୀୟ ମହଲରେ ସକାରାତ୍ମକ ବୋଲି କୁହାଯାଇଛି । ହେଲେ ବିଜୟ ନିଜ ନିଷ୍ପତି ସ୍ପଷ୍ଟ କରି ନ ଥିବାରୁ ତାଙ୍କ ପରବର୍ତୀ ରଣନୀତି କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି । ଦୁଇରୁ ତିନିଦିନ ମଧ୍ୟରେ ବିଜୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଏହି ସାକ୍ଷାତ ବିଜୟଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ବାସଭବନରେ ହୋଇଥିଲା ।

ଏହି ୩ ନେତାଙ୍କ ମଧ୍ୟରେ ଆଲୋଚନାର ବିସ୍ତୃତ ରିପୋର୍ଟ ମିଳିନଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିରେ ବିଜୟଙ୍କୁ ନେଇ ହେଉଥିବା ବିରୋଧକୁ ପ୍ରଶମିତ କରିବା ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଲୋଚନା ବେଳେ ବିଜୟ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠାଇଥିଲେ । ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଙ୍ଗଠନରେ ବିଜୟଙ୍କୁ ହେଉଥିବା ବିରୋଧ ପ୍ରସଙ୍ଗ ମଧ୍ୟ ସାମିଲ ଥିଲା । ତେବେ ଜିଲ୍ଲା ସଙ୍ଗଠନର ନେତାମାନଙ୍କୁ ବୁଝାସୁଝା କରିବା ଦାୟିତ୍ୱ ଦଳ ନେବ ବୋଲି ବୈଜୟନ୍ତ ଓ କେଭି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଦୁଇ ନେତାଙ୍କ ବୁଝାଇବା ପରେ ବିଜେପିରେ ସକ୍ରିୟ ଭୂମିକା ତୁଲାଇବା ପାଇଁ ବିଜୟ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଥିବାର ସୂଚନା ମିଳିଛି ।

ସେହିପରି ବିଜୟଙ୍କ ରାଜନୈତିକ ସହଯୋଗୀ ଦିଲୀପ ରାୟ କିଛିଦିନ ତଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ସାକ୍ଷାତ ପରେ ବିଜେଡିରେ ତାଙ୍କ ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉକ୍ତ ସାକ୍ଷାତକୁ ସପ୍ତାହେ ପୂରିଥିଲେ ବି ଦିଲୀପ ବିଜେଡିରେ ସାମିଲ ହୋଇନାହାନ୍ତି । ପଶ୍ଚିମ ଓଡ଼ିଶାରୁ ଆସିଥିବା କଂଗ୍ରେସର ନବ ଦାସଙ୍କୁ ବିଜେଡି ଗୁରୁତ୍ୱ ଦେଉଥିବାରୁ ଦିଲୀପଙ୍କ ରୋଷର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏତେସବୁ ପରେ ମଧ୍ୟ ବିଜେଡି ଆଉଥରେ ଦିଲୀପଙ୍କୁ ମନାଇବାକୁ ପ୍ରୟାସ ଆରମ୍ଭ କରିଛି । ଦଳ ପକ୍ଷରୁ ଏବେ ବି କେନ୍ଦ୍ରାପଡ଼ା ପାଇଁ ତାଙ୍କ ନାଁ ବିଚାର କରାଯାଉଥିବା ସୂତ୍ରରୁ ପ୍ରକାଶ । ତେଣୁ ଦିଲୀପ ବିଜେଡି ଫେରୁଛନ୍ତି ନା ଅନ୍ୟ କିଛି ନିଷ୍ପତି ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.