ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୌକସୀଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ଫେରି ପାଇଛି ବ୍ୟାଙ୍କ: କେନ୍ଦ୍ର ସରକାର

ଦେଶର ଟଙ୍କା ନେଇ ବିଦେଶୀ ପଳାତକ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସୀଙ୍କ ଠାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଟଙ୍କା ଫେରନ୍ତା ପାଇବା ପାଇଁ କେନ୍ଦ୍ର ସରକାର ନିଜ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହାରି ମଧ୍ୟରେ ବୁଧବାର କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା ସୁପ୍ରିମକୋର୍ଟରେ ସୂଚନା ଦେଇ କହିଛନ୍ତି, ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୌକସୀଙ୍କ ମାମଲାରେ ବ୍ୟାଙ୍କ ଗୁଡିକ ୧୮ ହଜାର କୋଟି ଫେରିପାଇଛନ୍ତି । ତୁଷାର ମେହେତା ଜଷ୍ଟିସ ଏ.ଏମ ଖନବିଲକରଙ୍କ ନେତୃତ୍ୱଧୀନ ଖଣ୍ଡପୀଠ ଆଗରେ କହିଛନ୍ତି, ସୁପ୍ରିମକୋର୍ଟରେ PMLA ସହ ଜଡିତ ବିଚାରଧୀନ ମାମଲାର ମୋଟ ରାଶି ୬୭,୦୦୦ କୋଟି ଟଙ୍କା।

ସଲିସିଟର ଜେନେରାଲ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବର୍ତ୍ତମାନ ସମୟରେ ୪ ହଜାର ୭ ଶହ ମାମଲାର ତଦନ୍ତ କରୁଛି । ସୁପ୍ରିମକୋର୍ଟ PMLA ଅଧିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶକ୍ତିର ବିସ୍ତାର ଉପରେ ଶୁଣାଣି କରୁଛନ୍ତି । PMLA ଅଧିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ତଦନ୍ତ, ଜବତ କରିବା, ସର୍ଚ୍ଚ କରିବାର ଅଧିକାର ରହିଛି।

ଗତ କିଛି ସପ୍ତାହ ଧରି ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ, ଅଭିଷେକ ମନୁ ସିଙ୍ଘଭୀ, ମୁକୁଲ ରୋହତଗୀ, ସିଦ୍ଧାର୍ଥ ଲୁଥରା, ଅମିତ୍ ଦେସାଇଙ୍କ ପରି ଜଣାଶୁଣା ଆଇନଜୀବୀ ପିଏମଏଲଏରେ ସଂଶୋଧିତ ନିୟମର ଦୁରୁପଯୋଗର ସମ୍ଭାବିତ ଦିଗ ଗୁଡିକ ଉପରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Related Posts