ବେକାରୀଙ୍କୁ ୩ ହଜାର ଟଙ୍କା ଭତା

କଂଗ୍ରେସ ଇସ୍ତାହାର

ଦୀର୍ଘ ବର୍ଷ ଧରି ଓଡ଼ିଶା ଶାସନ ଗାଦିରୁ ଦୂରେଇ ରହିଥିବା କଂଗ୍ରେସ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛି । କଂଗ୍ରେସର ଏହି ଇସ୍ତାହର ପତ୍ରର ନାଁ ରହିଛି ” କଂଗ୍ରେସ ହସିବ ଓଡିଶା’ । ଦଳ ସମସ୍ତ ବର୍ଗଙ୍କୁ ତା’ର ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ଖୁସି କରିବାକୁ ଚେଷ୍ଟା କରିଛି ।

ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ, ମହିଳା ଏବଂ ବେକାରୀଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ହାତ ଖୋଲି ଦେଇଛି କଂଗ୍ରେସ । ଏଥିରେ ଦଳ ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି । ସରକାରକୁ ଆସିଲେ ମହିଳାଙ୍କୁ ମାସିକ ୬୦୦୦ ଟଙ୍କା, କୃଷି ଋଣ ଛାଡ଼, ଭୂମିହୀନଙ୍କୁ ଜମି ଓ ବେକାରୀ ଭତା ପ୍ରଦାନ କରିବ ଦଳ । ରବିବାର ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

କଂଗ୍ରେସ ରାଜ୍ୟରେ ସରକାର ଗଢିଲେ ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବାକୁ ପ୍ରତିଶ୍ରୁତି ଦେଇଛି । ଖାଲି ସେତିକି ନୁହେଁ ଯିଏ ଋଣ ପରିଶୋଧ କରିଥିବେ ସେମାନଙ୍କ ଟଙ୍କାକୁ ଫେରସ୍ତ କରାଯିବ । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ଟଙ୍କା କରାଯିବ । ସୋଲାର ପମ୍ପ ଯୋଗାଇ ଦେବା ସହ ଚାଷ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ କରାଯିବ । ଚାଷୀଙ୍କୁ ୩ ବର୍ଷ ଯାଏଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଭାଗ ଚାଷୀଙ୍କୁ ସେମାନଙ୍କ ଅଧିକାର ଦେବାକୁ କଥା ଦେଇଛି କଂଗ୍ରେସ ।

ସେହିପରି ଗରିବ ମହିଳାଙ୍କୁ ମାସିକ ୬୦୦୦ଟଙ୍କା ଦେବ କଂଗ୍ରେସ ସରକାର । ନିବାଚନୀ ଇସ୍ତାହାର ଅନୁଯାୟୀ ଦଳ ରାଜ୍ୟରେ ସରକାର ଗଢିଲେ ଗରିବଙ୍କୁ ୬ ହଜାର ଟଙ୍କାର ଆୟର ଗ୍ୟାରେଣ୍ଟି ଦେବ । ଏହି ୬ ହଜାର ଟଙ୍କା ଘରର ମହିଳା ସଦସ୍ୟଙ୍କ ଆକାଉଣ୍ଟରେ ରହିବ । ମହିଳାକୁ ଦ୍ୱାଦଶ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ଦିଆଯିବ । ଲୋକସଭା ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା ବିଜେଡ଼ି କହୁଥିବା ବେଳେ କଂଗ୍ରେସ ଟିକେ ଓଲଟା ବାଟ ଆପଣାଇଛି । ସେ ଚାକିରି କ୍ଷେତ୍ରରେ ଏହି ନିୟମକୁ ଲାଗୁ କରିବ । ଏହା ସହ ଗରିବ ପରିବାରର ଝିଅଙ୍କ ବିବାହ ପାଇଁ ସହାୟତା ରାଶି ମଧ୍ୟ ଦିଆଯିବ । ଏମିତିକି ମହିଳାଙ୍କ ନାଁରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରାଯିବ ।

ସେପଟେ ବେକାରୀ ଯୁବକଙ୍କୁ ଲଲିପପ ଦେବାକୁ ଚେଷ୍ଟା କରିଛି ଦଳ । ସମସ୍ତ ଯୁବକଙ୍କୁ ସରକାରୀ ଓ ବେସରକାରୀ ଚାକିରି ମିଳିବ । ଯେ ପର୍ଯ୍ୟନ୍ତ ଯୁବକଙ୍କୁ ନିଯୁକ୍ତି ମିଳିନି ସେ ଯାଏଁ ମାସିକ ୩୦୦୦ ଟଙ୍କା ବେକାରୀ ଭତା ପ୍ରଦାନ କରିବ । ସରକାରୀ ଓ ବେସରକାରୀ କ୍ଷେତ୍ରରେ ବୟସ ସୀମା ବୃଦ୍ଧି କରାଯିବ । ଏହା ସହିତ ସବୁ କ୍ଷେତ୍ରରେ କଣ୍ଟ୍ରାକଚୁଆଲ ବ୍ୟବସ୍ଥାକୁ ଉଠାଇ ସବୁ ଚାକିରିକୁ ନିୟମିତ କରାଯିବ । ଶିକ୍ଷକମାନଙ୍କୁ ସେଣ୍ଟ୍ରାଲ ପେ’ ସ୍କେଲରେ ଦରମା ଦିଆଯିବ ।

କଂଗ୍ରେସ ସରକାରକୁ ଆସିଲେ ପ୍ରତ୍ୟେକ ଭୂମିହୀନ ପରିବାରକୁ ଜମି ସହିତ ୨୦୨୪ ସୁଦ୍ଧା ସମସ୍ତ ବାସହୀନଙ୍କୁ ଘର ଯୋଗାଇ ଦିଆଯିବ । ସେହିପରି ବୁଢା ବଢୀଙ୍କୁ ଦଳ ଖୁସି କରିବାକୁ ଚେଷ୍ଟା କରିଛି । କଂଗ୍ରେସ ସରକାର ବାର୍ଦ୍ଧକ୍ୟ ଭତା ୧୫୦୦ ଟଙ୍କା ଦେବ । ଯାହା ଏବେ ୫୦୦ ଟଙ୍କା ଦିଆଯାଉଛି । ଅନୁରୂପ ଭାବେ ବିଧବା ଓ ୮୦ରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ୨୦୦୦ ଟଙ୍କା ଭତା ପ୍ରଦାନ କରାଯିବ ।

Comments are closed.