ମଇଦାନରେ ୩ ମାଝୀ

ନବରଙ୍ଗପୁର ଲୋକସଭା

ବିକାଶର ପାହାଚରେ ସବା ଶେଷରେ ଥିବା ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ହେବ “କାଣ୍ଟେ କା ଟକ୍କର’ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ଆସନ୍ତା ୧୧ ତାରିଖରେ ଲଢେଇ ହେବ ତିନି ମାଝୀଙ୍କ ମଧ୍ୟରେ । ବିଜେଡିରୁ ମନ୍ତ୍ରୀ ରମେଶ ମାଝୀ, କଂଗ୍ରେସରୁ ପ୍ରଦୀପ ମାଝୀ ଓ ବିଜେପିରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ବଳଭଦ୍ର ମାଝୀ । ତ୍ରିମୁଖୀ ଲଢ଼େଇରେ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ରଣନୀତି ତିଆରି କରିଛନ୍ତି ଏହି ତିନି ପ୍ରାର୍ଥୀ ।

ଇଞ୍ଜିନିୟରିଂ ପେସାରୁ ରାଜନୀତିକୁ ଲମ୍ଫ ମାରିଥିଲେ ବଳଭଦ୍ର ମାଝୀ । ସେଥିରେ ସେ ସଫଳ ମଧ୍ୟ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ପ୍ରଥମ ଥର ପାଇଁ ସଂସଦରେ ପ୍ରବେଶ କରିଥିଲେ । କଂଗ୍ରେସର ଅନୁଭବୀ ନେତା ପ୍ରଦୀପ ମାଝୀଙ୍କୁ ପଛରେ ପକାଇ ସେ ଏହି ସଫଳତାର ସ୍ୱାଦ ଚାଖିଥିଲେ । ଏଥର ବିଜେଡି କିନ୍ତୁ ତାଙ୍କୁ ଟିକେଟରୁ ବଞ୍ଚିତ କଲା ।

ପରେ ସେ ପଦ୍ମ ପୋଖରୀକୁ ଡେଇଁଥିଲେ । ଆଉ ବିଜେପି ତାଙ୍କୁ ଏଥର ପ୍ରାର୍ଥୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳ ଶାସନ ଓ ପରିବର୍ତନର ନାରାକୁ ନବରଙ୍ଗପୁରବାସୀଙ୍କ ନିକଟତର କରାଇବାକୁ ପ୍ରୟାସ କରୁଛନ୍ତି ବଳଭଦ୍ର । ୧୯୯୯ ଓ ୨୦୦୪ରେ ବିଜେଡି ସହ ମେଣ୍ଟ ସମୟରେ ବିଜେପି ଯେଉଁ ଭଳି ଢଙ୍ଗରେ କଂଗ୍ରେସର ଏହି ଗଡ଼କୁ ଦଖଲ କରିଥିଲା, ଏଥର ଏକାକୀ ସେହି ଇତିହାସର ପୁନରାବୃତି କରିବ ବୋଲି ବଳଭଦ୍ର ଆଶା ରଖିଛନ୍ତି ।

କଂଗ୍ରେସର ଯୁବ ଚେହେରା ତଥା ଟାଣୁଆ ନେତା ପ୍ରଦୀପ ମାଝୀଙ୍କ ଉପରେ ଭରସା କରିଛନ୍ତି କେନ୍ଦ୍ରୀୟ ନେତୃବର୍ଗ । ୨୦୦୯ରେ ପ୍ରଥମ ଥର ପାଇଁ ଲୋକସଭାକୁ ଯାଇଥିଲେ ପ୍ରଦୀପ । ଆଉ ଏଥର ମଧ୍ୟ ତାଙ୍କର ଆଶା, ସେ ନିଶ୍ଚିତ ନବରଙ୍ଗପୁର ଆସନକୁ ଦଖଲ କରିବେ । ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ ହେଉ କିମ୍ବା ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ, ଗଲା ୫ ବର୍ଷରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାରେ ଆନ୍ଦୋଳନର ନେତୃତ୍ୱ ନେଇ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରିଛନ୍ତି ପ୍ରଦୀପ ମାଝୀ ।

ସେପଟେ ଉଭୟ ବିଜେପି ଓ କଂଗ୍ରେସକୁ ଟକ୍କର ଦେବା ପାଇଁ ବହୁ ଅଙ୍କ କଷିବା ପରେ ଶେଷରେ ମନ୍ତ୍ରୀ ରମେଶ ମାଝୀଙ୍କୁ ଭରସା କରିଛି ବିଜେଡି । ଝରିଗାଁ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ବିକାଶ ମନ୍ତ୍ରୀ ରମେଶ ମାଝୀଙ୍କର ମଧ୍ୟ ଜିଲ୍ଲାରେ ରହିଛି ଅନେକ ସାଙ୍ଗଠନିକ ଦକ୍ଷତା । ଚଳିତ ନିର୍ବାଚନରେ ବଦଳୁଥିବା ସମୀକରଣ ଭିତରେ ଦଳ ସଫଳତା ଲାଭ କରିବ ବୋଲି ଆଶା ବାନ୍ଧିଛନ୍ତି ରମେଶ ମାଝୀ ।

Leave A Reply

Your email address will not be published.