
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବା ଅଭିଯାନ ଆରମ୍ଭ କଲା ବିଜେପି ।
ମମିତା ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇବା ଏବଂ ମହିଳା ସୁରକ୍ଷା ନେଇ ଦୋମୁହାଁ ଆଭିମୁଖ୍ୟ ଗ୍ରହଣ କରୁଥିବା ଅଭିଯୋଗ ଆଣି ରବିବାର ଦିନ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବା ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟର ୮,୫୬୭ଟି ଡାକବାକ୍ସରୁ ଚିଠି ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଜେପି କହିଛି, ଆମେ ଏ ଚିଠି ଓଡ଼ିଆରେ ଲେଖିଛୁ। ଆପଣ ନିଜେ ନପଢ଼ିପାରିଲେ ମଧ୍ୟ ଓଡ଼ିଆ ପଢ଼ିପାରୁଥିବା ଆପଣଙ୍କ ସହଯୋଗୀଙ୍କ ଠାରୁ ବୁଝିନେବେ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପରେ ଆପଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇଥିଲେ ଏବଂ ତାଙ୍କର ଇସ୍ତଫା ଦାବି କରିଥିଲେ। ସେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ବସ୍ତବିଧ୍ବସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। କିନ୍ତୁ ଏବେ ଖୋଦ୍ ଅଞ୍ଜନା ମିଶ୍ର କହିଲେଣି ଯେ ଜାନକୀଙ୍କ ମୁଖ୍ୟମନ୍ତ୍ରୀତ୍ବରେ ଓଡ଼ିଶା ଓ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବରେ ଓଡ଼ିଶା ମଧ୍ୟରେ କିଛି ଫରକ ନାହିଁ। ଅଞ୍ଜନା ମାମଲାରେ ଯେମିତି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ୍ ସେମିତି ମମିତା ହତ୍ୟା ମାମଲାରେ ଆପଣଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାବାସୀ ଦାୟୀ କରୁଛନ୍ତି। ଏନେଇ ବିଜେପି ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି ।