ମୀନାକ୍ଷୀଙ୍କୁ ପ୍ରାର୍ଥୀ କଲା ବିଜେଡି

ଚମ୍ପୁଆ ବିଧାନସଭା ଆସନ

ବହୁ ପ୍ରତୀକ୍ଷିତ ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି । ମୀନାକ୍ଷୀ ମହାନ୍ତଙ୍କୁ ଦଳ ଏଠାରୁ ଟିକେଟ ଦେଇଛି । ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା ।

ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ଆଜି ହିଁ ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୀନାକ୍ଷୀ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ ।

୨୦୧୪ ନିର୍ବାଚନରେ ବିଜେଡି ଚମ୍ପୁଆ ଆସନରୁ ଅଭିନେତା ପପୁ ପମ ପମ (ତତ୍ୱ ପ୍ରକାଶ ଶତପଥୀ)ଙ୍କୁ ପ୍ରାର୍ଥୀ କରିଥିଲା । ତେବେ ସେ ଏହି ନିର୍ବାଚନରେ ହାରି ଯାଇଥିଲେ । ଗତଥର ଏହି ଆସନରୁ ସନାତନ ମହାକୁଡ଼ ଜିତିଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ।

ଚମ୍ପୁଆ ପାଇଁ ପ୍ରାର୍ଥୀ ଦେବା ପରେ ବିଜେଡି ମୋଟ ୧୪୫ଟି ବିଧାନସଭା ଆସନ ପାଇଁ ନାମ ଘୋଷଣା କରିସାରିଛି । ତେବେ ଦଳ ଏଯାବତ କେନ୍ଦ୍ରାପଡ଼ା ଏବଂ ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ସୂଚନାଯୋଗ୍ୟ, ଚମ୍ପୁଆ ଆସନ ପାଇଁ ବିଜେପି ମୁରଲୀ ମୋହନ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଯଦୁମଣି ବାରକଙ୍କୁ ଟିକେଟ ଦେଇଛି ।

Leave A Reply

Your email address will not be published.