ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା | କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଭୟ ଭିତରେ ଆଜି ରାଜ୍ୟରୁ ୧୦ହଜାର ୩୬୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏଥିସହ ଆଉ ୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା | ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବାବେଳେ ଗଞ୍ଜାମ ଜିଲ୍ଲରୁ ଜଣେ ଓ ସମ୍ବଳପୁରରୁ ଜଣେ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୫୦୧କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱରରୁ ୮୪ ବର୍ଷୀୟ ପୁରୁଷ, ୬୪ ବର୍ଷୀୟ ପୁରୁଷ, ୯୬ ବର୍ଷୀୟ ପୁରୁଷ, ୭୯ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ୫୨ ବର୍ଷୀୟ ମହିଳାଙ୍କର ମୃତୁ୍ୟ ହୋଇଛି । ସେହିପରି ସମ୍ବଲପୁରରୁ ୧୯ ବର୍ଷୀୟ ଯୁବକ ଓ ଗଞ୍ଜାମରୁ ୪୫ ବର୍ଷୀୟ ପୁରୁଷଙ୍କର ମୃତୁ୍ୟ ହୋଇଛି । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ନେଇ ସୂଚନା ରହିଛି ।
ରାଜ୍ୟରେ ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାରତ ଭାବରେ ୧୦ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୩୫୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷ ମଧ୍ୟରେ ୧ହଜାର ୯୦ ଜଣ ଚିହ୍ନଟ ହୋଇଛନ୍ତି ।
ତେବେ ସବୁଦିନ ପରି ଖୋର୍ଦ୍ଧାରୁ ସର୍ବାଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଖୋର୍ଦ୍ଧାରୁ କେବଳ ୩ ହଜାର ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍ କଟକଣା କଡ଼ାକଡ଼ି ହେବା ସତ୍ତେ୍ୱ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି । ଅନ୍ୟପଟେ ସୁନ୍ଦରଗଡ଼ରେ ମଧ୍ୟ ୧ହଜାର ୫ ଜଣ ଚିହ୍ନଟ ହୋଇଛନ୍ତି ।