ଲୋକସଭାରେ କ୍ଲିନ ସୁଇପ କରିବ ବିଜେଡି

ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ପ୍ରାର୍ଥୀ ତାଲିକା ଘୋଷଣା ଜାରି ରହିଥିବା ବେଳେ ଆଜିଠାରୁ ଦଳର ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ଦଳର ମୁଖିଆ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନୟାଗଡ ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ତେବେ ପ୍ରଚାର ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ।

ବିଜେଡି ସୁପ୍ରିମୋ କହିଛନ୍ତି ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଆମେ ଲଢେଇ ଜାରି ରଖିଛୁ । ବିଜେପି ଇସ୍ତାହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ କେନ୍ଦ୍ରରେ ସରକାର ଗଢିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ । ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ନବୀନ ଆହୁରି କହିଛନ୍ତି, ଓଡିଶାର ହକ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ । କାହିଁକି ନା ରାଜ୍ୟ ବିଜେପିର ରିମୋଟ ରହିଛି କେନ୍ଦ୍ର ପାଖରେ । କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ ଏବଂ ବିଜେଡିର ରିମୋଟ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି । ଏହା ସହ ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି ।

ଆହୁରି ୨୦ ଲକ୍ଷ୍ୟ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି । କେହି ହେଲେ ଜଣେ ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି ନବୀନ କହିଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି ବିରୋଧୀ ମିଛ ପ୍ରଚାର କରୁଛନ୍ତି । ବିଜେଡି ସବୁବେଳେ ଓଡିଶାବାସୀଙ୍କ ଉନ୍ନତି ପାଇଁ କାମ କରିଆସୁଛି ।

ନବୀନ ଆହୁରୀ ମଧ୍ୟ କହିଛନ୍ତି ମହିଳାଙ୍କର ଉନ୍ନତି ହେଲେ ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ନବୀନ । ସେହିପରି କାଳିଆ ଯୋଜନା କଥା ଉଠାଇ କେନ୍ଦ୍ରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥର ୨୦୧୯ ଲୋକସଭା ନିର୍ବାଚନରେ ବିଜେଡ଼ି ରାଜ୍ୟରେ “କ୍ଲିନ ସୁଇପ’ କରିବା ସହ ୨୧ରୁ ୨୧ ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ବିଜୟ ଲାଭ କରିବେ ବୋଲି ପ୍ରଚାର ମୈଦାନରେ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ।

Leave A Reply

Your email address will not be published.