ଶଙ୍ଖ ଛାଡ଼ିଲେ ରଘୁ

ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ରଘୁନାଥ ମହାନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିକଟକୁ ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଦଳ ଦିଗହରା, ପଥଭ୍ରଷ୍ଟ ଓ କେତେକ ମୁଷ୍ଟିମେୟ ଲୋକଙ୍କ ହାତବାରିଶି ସାଜିଛି । ଏହା ମୋତେ ବ୍ୟଥିତ କରିଥିବାରୁ ମୁଁ ଦଳରୁ ଇସ୍ତଫା ଦେଉଥିବା ସେ ପ୍ରକାଶ କରିଛନ୍ତି । ସେ ଦଳର ପ୍ରତିଷ୍ଠା ସଦସ୍ୟ ଥିବା ସହ ଦଳରେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରୁଥିଲେ । ବିଜୁ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତା ଆଜି ଦଳରେ କୋଣଠେସା ହୋଇ ରହିଛନ୍ତି । ନିର୍ବାଚନ ଲଢ଼ିବା ନ ଲଢ଼ିବା ନେଇ ମନ ସ୍ଥିର କରିନାହିଁ । ବସ୍ତା ଟିକେଟ ବଣ୍ଟନ ନେଇ ସେ ଅସନ୍ତୋଷ ଥିଲେ । କିନ୍ତୁ ଏଯାଏଁ ବସ୍ତା ଆସନ ପାଇଁ ଦଳ କାହାକୁ ଟିକେଟ ଦେଇନାହଁ ।

ସୂଚନାଯୋଗ୍ୟ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଶନିବାର ଶ୍ରୀ ମହାନ୍ତି ଇସ୍ତଫା ଦେଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରଘୁନାଥ ବସ୍ତାର ପୂର୍ବତନ ବିଧାୟକ । ଏଣୁ ବିଜେଡି ତାଙ୍କୁ ଚଳିତବର୍ଷ ନିର୍ବାଚନ ମଇଦାନକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ପରବର୍ତୀ ସମୟରେ ତାଙ୍କ ଟିକେଟ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଶ୍ରୀ ମହାନ୍ତି ଗତକାଲି କହିଥିଲେ ଯେ ମୁଁ ବିଜେଡିରେ ଅଛି । ଟିକେଟ ମିଳିବ କି ନାହିଁ ତାହା ଦଳ ଉପରେ ନିର୍ଭର କରେ । କିନ୍ତୁ ଶେଷରେ ଆଜି ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।

ସୂଚନାଯୋଗ୍ୟ ରଘୁନାଥ ମହାନ୍ତି ବସ୍ତାର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା । ସେ ଏହି ଆସନରୁ ୫ ଥର ବିଧାୟକ ହୋଇଛନ୍ତି । ମାତ୍ର ପୂର୍ବରୁ ସେ ପାରିବାରିକ ମାମଲାକୁ ନେଇ ନବୀନଙ୍କ ଆସ୍ଥା ହରାଇଥିଲେ । ଫଳରେ ଦଳ ତାଙ୍କୁ ୨୦୧୪ ନିର୍ବାଚନରେ ଟିକେଟ ଦେଇନଥିଲା । ଏପରିକି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ । ପରବର୍ତୀ ସମୟରେ ଏହାର ସମାଧାନ ହୋଇଥିଲା । ଏଣୁ ସେ ପୁନର୍ବାର ରାଜନୀତିକୁ ଫେରିଥିଲେ । ପରେ ତାଙ୍କୁ ବିଜେଡି ଉପସଭାପତି କରାଯିବା ସହ ଉଠାଜଳସେଚନ ନିଗମର ଅଧ୍ୟକ୍ଷ କରାଯାଇଥିଲା ।

ଏପରିସ୍ଥଳେ ୨୦୧୯ ସାଧାରଣ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ରୋଚକ ମୋଡ଼ ନେଉଥିବାରୁ ବିଜେଡି ସଭାପତି ତାଙ୍କୁ ବସ୍ତା ଆସନରୁ ମଇଦାନକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କାରଣ ଏହି ଆସନ ଲାଗି ଏଯାବତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ । ଅପରପକ୍ଷରେ ବଳକା ଥିବା ୩ ଲୋକସଭା ଓ ୨୮ ବିଧାନସଭା ଲାଗି ରବିବାର ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.