ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କ୍ରିକେଟ୍ ଛାଡ଼ିଥାନ୍ତେ ଅଶ୍ୱିନ

ସତ୍ୟପାଠ 22/12 ମୁମ୍ବାଇ: ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଖୋଲା ସମାଲୋଚନା କରିଛନ୍ତି। ଶାସ୍ତ୍ରୀଙ୍କ ପାଇଁ ବହୁବାର କ୍ରିକେଟ୍ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚିନ୍ତା କରିବା ଭଳି ବିସ୍ଫୋରକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଅଶ୍ବିନ । ୨୦୧୯ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନି ଟେଷ୍ଟ୍ ପରେ ଶାସ୍ତ୍ରୀ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ବିଦେଶରେ ଭାରତର ଏକନମ୍ବର ସ୍ପିନର ଭାବେ ବର୍ଣ୍ଣନା କରିବା ପରିପ୍ରେକ୍ଷୀରେ ଏଭଳି କଥା କହିଛନ୍ତି ଅଶ୍ବିନ। ‘ରବିଭାଇଙ୍କ ପ୍ରତି ମୋ ମନରେ ଯଥେଷ୍ଟ ସମ୍ମାନ ରହିଛି। ଆମେ ସମସ୍ତେ ତାଙ୍କୁ ସମ୍ମାନ କରୁ। ଆମେ ସମସ୍ତେ କେବେକେବେ କିଛି ବିତର୍କିତ କଥା କହିଥାଏ। ପରେ ଏଥିରୁ ପଛଘୁଞ୍ଚା ବି ଦେଇଥାଏ।
ହେଲେ ସେହି ମୁହୂର୍ତ୍ତରେ ‌ମୋତେ ଯେମିତି କେହି ଦଳି ଚକଟି ଶେଷ କରିଦେଲା ଭଳି ଲାଗିଥିଲା। କୁଲଦୀପଙ୍କ ସଫଳତା ପାଇଁ ମୁଁ ବହୁତ ଖୁସି ଥିଲି। ମୁଁ ୫ ୱିକେଟ୍ ପାଇ ନଥିଲି। ଅଷ୍ଟ୍ରେଲିଆ ବିପକ୍ଷରେ ସେ ପାଇଥିଲେ। ମୁଁ ଜାଣିଛି ଏହା କେତେ ବଡ଼ ସଫଳତା। ମୋ ଶ୍ରେଷ୍ଠ ଫର୍ମରେ ଥିଲାବେଳେ ବି ମୁଁ ଅଷ୍ଟ୍ରେଲିଆରେ ୫ ୱିକେଟ୍ ସଫଳତା ପାଇନି। ଅଷ୍ଟ୍ରେଲିଆରେ ଆମେ ଜିତିବା ମୋତେ ପରମ ଆନନ୍ଦ ଦେଇଥିଲା। ବ୍ୟକ୍ତିଗତ ଭାବେ କିନ୍ତୁ ଶାସ୍ତ୍ରୀଙ୍କ ଏହି ମନ୍ତବ୍ୟ ମୋତେ ବହୁତ ବାଧିଥିଲା। ମୋତେ ଯେମିତି କେହି ବସ୍ ଚକାତଳେ ଫିଙ୍ଗି ଦେଇଥିବା ଭଳି ଲାଗିଥିଲା। ସେଠାରୁ ବଞ୍ଚି ମୋତେ ଦଳର ସଫଳତାକୁ ଉପଭୋଗ କରିବାର ଥିଲା। ମୁଁ ରୁମ୍‌କୁ ଫେରି ପତ୍ନୀ ଓ ପିଲାଙ୍କ ସହ କଥା ହୋଇଥିଲି। ମନରେ ଗଭୀର ବେଦନା ଥିବା ସତ୍ତ୍ବେ ଦଳର ବିଜୟ ଉତ୍ସବରେ ଯୋଗ ଦେଇଥିଲି’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଅଶ୍ବିନ।
‘କିଛି ସମ୍ବେଦନହୀନ ବ୍ୟକ୍ତିଙ୍କ ପାଇଁ ଅବସର କଥା ଚିନ୍ତା କରିଥିଲି’
ରବିଚନ୍ଦ୍ରନ ଅଶ୍ବିନ ହେଉଛନ୍ତି ଜଣେ ବିଶ୍ବସ୍ତରୀୟ ସ୍ପିନର ଏବଂ ମ୍ୟାଚ୍ ବିଜୟୀ ଖେଳାଳି। ହେଲେ ଏକଦା ସେ ମଧ୍ୟ ହୀନମନ୍ୟତାର ଶିକାର ହୋଇଥିଲେ। ଏପରିକି ଆବଶ୍ୟକ ସମର୍ଥନ ଓ ପ୍ରୋତ୍ସାହନର ଅଭାବ ପାଇଁ ୨୦୧୮ ମସିହାର ଇଂଲଣ୍ଡ ଶୃଙ୍ଖଳା ପରେ ଅବସର କଥା ଚିନ୍ତା କରିଥିଲେ। କିଂବଦନ୍ତି ସ୍ପିନର ଅନିଲ କୁମ୍ବଲେ (୬୧୯) ଓ ମହାନ କପିଳ ଦେବ (୪୩୪)ଙ୍କ ପଛକୁ ଭାରତ ପକ୍ଷରୁ ତୃତୀୟ ସର୍ବାଧିକ ଟେଷ୍ଟ୍ ୱିକେଟ୍ ନେଇଥିବା ଅଶ୍ବିନ ନିଜେ ଏକଥା ଉପରୁ ପରଦା ଉଠାଇଛନ୍ତି। ୨୦୧୮ରୁ ୨୦୨୦ ମସିହାର ତିନି ବର୍ଷୀୟା ଅବଧି ଭିତରେ ଆଘାତ ଜନିତ ସମସ୍ୟା ମଧ୍ୟ ତାଙ୍କ ମନୋବଳକୁ ଏକପ୍ରକାର ଭାଙ୍ଗି ଦେଇଥିଲା। ଅଳ୍ପ ପରିଶ୍ରମରେ ସେ ହାଲିଆ ହୋଇଯାଉଥିଲେ। ଠିକ୍ ଭାବେ ବଲ୍ ପକାଇ ପାରୁନଥିଲେ। ଏଭଳି ସ୍ଥିତିରେ ଦଳଠାରୁ ଯେଉଁଭଳି ସମର୍ଥନ ମିଳିବା କଥା ତାହା ମଧ୍ୟ ମିଳୁ ନଥିଲା। ଯାହା ଅଶ୍ବିନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଥିଲା। ସେହି କଠିନ ସମୟକୁ ମନେ ପକାଇ ଅଶ୍ବିନ କହିଛନ୍ତି, ‘ ମୁଁ ଅନେକ ଗୁଡ଼ିଏ କାରଣ ପାଇଁ ଅବସର କଥା ଚିନ୍ତା କରିଥିଲି। ମୁଁ ଭାବୁଥିଲି ଲୋକମାନେ ମୋ ଆଘାତକୁ ନେଇ ସମ୍ବେଦନଶୀଳ ନୁହନ୍ତି। ମୋ ମନରେ ଏମିତି ବି ଭାବନା ଆସିଥିଲା ଯେ ଅନେକ ଲୋକଙ୍କୁ ସମର୍ଥନ ମିଳୁଛି, ମୋତେ କାହିଁକି ନୁହଁ। ମୁଁ କିଛି କମ୍ କାମ କରିନି। ଭାରତ ପାଇଁ ମୁଁ ଅନେକ ମ୍ୟାଚ୍ ଜିତିଛି।’

Related Posts