
ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିବାକୁ ଲାଗୁଛି । ଆକାଉଣ୍ଟରେ ଚୂନ ବୋଳି ଦେଉଛନ୍ତି ଠକ। କେବେ ପୋଲିସ ଅଧିକାରୀଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟରୁ ତ କେବେ ସାଧାରଣ ଜନତାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟଇନେଉଛନ୍ତି ସାଇବର ଠକ । ଏପରି ସ୍ଥଳେ ପୋଲସ ଓ କ୍ରାଇମବ୍ରାଞ୍ଚ ଯେତେ ସତର୍କ କରରାଇଲେ ବି କମୁନି ଏହି ସାଇବର ଠକେଇ । ଏବେ ଏପରି ଆଉ ଏକ ଘଟଣାକୁ ନେଇ ର୍ଚ୍ଚା ହେଉଥିବାବେଳେ ରାଜଧାନୀ ପୋଲିସର ଚିନ୍ତା ବଢିଯାଇଛି ।
ଜଣେ ଡାକ୍ତରାଣୀଙ୍କ ଆକାଉଣ୍ଟରୁ ସାଇବର ଠକ ୪୯ ହଜାର ଟଙ୍କା ଉଡ଼ାଇ ନେଇଛି। ବିନା ଫୋନ୍ କଲ୍ ଓ ବିନା ଓଟିପିରେ ସାଇବର ଠକ ଡାକ୍ତରାଣୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିଲେ ବି ସେ ଟେର୍ ପାଇନଥିଲେ। ପରେ ଡେବିଟ୍ ମେସେଜ୍ ଆସିବାରୁ ତାଙ୍କର ସନ୍ଦେହ ହୋଇଥିଲା ଓ ସେ ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ଲୁଟ୍ର ଶିକାର ହୋଇଥିବା ଜାଣିଥିଲେ। ଏନେଇ ଡାକ୍ତରାଣୀ ଡା. କନିନିକା ପଣ୍ଡା ନୂଆପଲ୍ଲୀ ଥାନା ଓ ଭୁବନେଶ୍ବର ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି।
ନୂଆପଲ୍ଲୀ ଏନ୍-୩ ଅଞ୍ଚଳରେ ରହୁଥିବା ଡା. ପଣ୍ଡା ଚନ୍ଦ୍ରଶେଖରପୁରସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କ୍ର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଗତ କିଛିଦିନ ତଳେ ସେ ଅନ୍ଲାଇନ୍ରେ କିଛି ଜିନିଷ କିଣାକିଣି କରିଥିଲେ। ଏହାର କିଛିଦିନ ପରେ ତାଙ୍କ ମୋବାଇଲକୁ ପ୍ରାୟ ୬୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ବାକି ପଡ଼ିଛି ବୋଲି ଏକ ମେସେଜ୍ ଆସିଥିଲା। ଏତେ ଟଙ୍କାର ଜିନିଷ କିଣିନଥିବାରୁ ବାକି ଟଙ୍କାର ପରିମାଣ କେମିତି ଏତେ ବଢ଼ିଲା ବୋଲି ବୁଝିବା ପାଇଁ ସେ ବ୍ୟାଙ୍କ୍କୁ ଯାଇ ଷ୍ଟେଟମେଣ୍ଟ୍ ବାହାର କରିଥିଲେ। ୮ତାରିଖ ୨ଟି ପର୍ୟ୍ୟାୟରେ ୧୪ହଜାର ଟଙ୍କା, ୯ତାରିଖ ୨ଟି ପର୍ୟ୍ୟାୟରେ ୨୧ହଜାର ଓ ୧୦ତାରିଖରେ ୧୪ହଜାର ଟଙ୍କା କଟିଯାଇଥିବା ଜଣାପଡ଼ିଥିଲା।
ପେଟିଏମ୍ ଜରିଆରେ ସ୍ଥାନାନ୍ତର ହୋଇଥିବା ସମସ୍ତ ଟଙ୍କା ନୋଏଡ଼ାସ୍ଥିତ ଏକ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଯାଇଥିବା ଜଣାପଡ଼ିଛି। ଡା. ପଣ୍ଡା ତାଙ୍କ କ୍ରେଡିଟ୍ କାର୍ଡରେ ଏତେ ଟଙ୍କାର ଜିନିଷ କିଣିନଥିବା ଓ ପେଟିଏମ୍ ଜରିଆରେ କାହା ସହିତ ଅର୍ଥ କାରବାର କରିନଥିବା କହିଛନ୍ତି।