ସାତକୋଶିଆରେ ଖୁବ୍‌ଶୀଘ୍ର ‘ଜଙ୍ଗଲ ସଫାରି’

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଜଙ୍ଗଲ ସଫାରି’। ବିନା ବାଧାରେ ଲୋକ ଜଙ୍ଗଲ ଭିତରକୁ ଯିବେ। ଗାଡ଼ି ଭଡ଼ା ଦେଇ ଜଙ୍ଗଲର ମଜ୍ଜା ନେବେ। କେବଳ ଜଙ୍ଗଲ ନୁହେଁ, ସାତକୋଶିଆ ଭିତରେ ଥିବା ଛୋଟ ଛୋଟ ୱାଟର ଫଲ୍‌, ହରିଣ, କୁଟୁରା, କଲରାପତରିଆ ବାଘକୁ ଆଖି ସାମ୍ନାସାମ୍ନି ଦେଖିବାର ସୁଯୋଗ ପାଇବେ। ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସଫାରି ପାଇଁ ଚାରୋଟି ନୂଆ ଗାଡ଼ି ଅର୍ଡ଼ର କରାଯାଇଛି। ସାତକୋଶିଆ ଅଭୟାରଣ୍ୟର ଲୋଗୋ ସହିତ ଏହି ଗାଡ଼ି ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ କରାଯିବାକୁ ଯୋଜନା ରହିଛି।

ଗଲା ପ୍ରାୟ ଦୁଇ ବର୍ଷ ହେଲା କୋଭିଡ୍ ପାଇଁ ସାତକୋଶିଆର ପର୍ଯ୍ୟଟନ କ୍ଷେତ୍ରଟି ପୂରା ମାଡ଼ ଖାଇଛି। ସାତକୋଶିଆ ଯଦିଓ ଏକ ଅଭୟାରଣ୍ୟ ଏବଂ ଭାରତ ସରକାରଙ୍କର ଏକ ବ୍ୟାଘ୍ର ପ୍ରକଳ୍ପର ଆଖ୍ୟା ପାଇଛି, କିନ୍ତୁ ଚନ୍ଦକା ଭଳି ଅନ୍ୟାନ୍ୟ ଜଙ୍ଗଲରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜଙ୍ଗଲ ସଫାରି ବ୍ୟବସ୍ଥା ଉପଲବ୍ଧ ଥିଲା, ସାତକୋଶିଆ ଅଭୟାରଣ୍ୟରେ ନାହିଁ।

ସାତକୋଶିଆରେ ପର୍ଯ୍ୟଟକ ମଜ୍ଜା ନେବାକୁ ହେଲେ, କେବଳ ହାତଗଣତି କେତୋଟି ନେଚର କ୍ୟାମ୍ପ୍‌, ମହାନଦୀ ଗଣ୍ଡରେ ବୋଟିଂର ବ୍ୟବସ୍ଥା ଥିଲା।କିଛି ଦିନ ତଳେ ଓଡ଼ିଶା ସରକାର ସାତକୋଶିଆରେ ‘ଜଙ୍ଗଲ ସଫାରି’ କରିବାକୁ ଯୋଜନା କରିଥିଲେ। ଯାହା ଏବେ ଫଳପ୍ରଦ ହେବାକୁ ଯାଉଛି।

Related Posts