ସିଜିମାଳିରେ ଖଣି ହାତେଇବା ପାଇଁ ଆଦିବାସୀଂକ ଉପରେ ପୋଲିସ-ବେଦାନ୍ତ-ମୈତ୍ରୀ କଂପାନୀର ଅତ୍ୟାଚାର ଜାରି ମାତ୍ର ନେତାଂକ ନଜରରେ କେବଳ ନୂଆପଡା ଭୋଟର

ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ତମାମ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଯେତେବେଳ ଆରମ୍ଭ ହୋଇଯାଇଛି ନାନା ନାରାବାଜି।ସେପଟେ ଠିକ୍ ସେତିକି ବେଳେ ନୂଆପଡ଼ା ଠାରୁ ମାତ୍ର କେଇ କିଲୋମିଟର ଦୂରରେ ଚାଲିଛି ନିଜ ହକ ପାଇବା ପାଇଁ ନାରାବାଜି ବା ସ୍ଲୋଗାନ।ଯେଉଁଠି ଉପନିର୍ବାଚନ ଭୋଟ ପଡ଼ିବ ଅର୍ଥାତ୍ ନୂଆପଡ଼ା ଠାରୁ ମାତ୍ର ଅଳ୍ପ ଦୂରରେ ଶୁଭୁଚି ହକ ମାଗୁଥିବା ଲୋକଙ୍କର ହୃଦୟଥରା କାନ୍ଦ ବୋବାଳିର ନାରା।ଏହି ନାରା ବା ସ୍ଲୋଗାନ ଦେଉଛନ୍ତି ନିୟମଗିରି ଖଣି ଖନନକୁ ବିରୋଧ କରି ନିଜ ହକ ମାଗୁଥିବା ଆଦିବାସୀ ମାନେ।

ନୂଆପଡ଼ା ଠାରୁ ମାତ୍ର କେଇ ମିଟର ଦୂରରେ ଜନ ଆନ୍ଦୋଳନ ତେଜିଥିବା ବେଳେ ସେହି ସ୍ଥାନରେ କୌଣସି ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳୁନଥିବା ବେଳେ ନୂଆପଡ଼ାରେ କିନ୍ତୁ ଓଡ଼ିଶାର ତମାମ ରାଜନୈତିକ ଦଳମାନଙ୍କ ନେତାଙ୍କର ବେଶ୍ ଭିଡ ଜମିଗଲାଣି।କେବଳ ଏତିକି ନୁହେଁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ଏକ ଚିଠିରେ ନିର୍ଦ୍ଦେଶ ରହିଛି ଶିଜିମାଳି ଓ ନିୟମଗିରି ସୁରକ୍ଷା ସମିତିର ୧୧ଜଣ ସ୍ଥାନୀୟ ଆଦିବାସୀ ଦଳିତ ନେତା କୌଣସି ସଭାସମିତିରେ ଯୋଗ ଦେଇପାରିବେ ନାହିଁ।ଅର୍ଥାତ୍ ସରକାର ବା ପ୍ରଶାସନ କୌଶଳ କରିଛି ଯେ,ଯେଉଁମାନେ ଜନ ଆନ୍ଦୋଳନ କଥା କହିବେ ବା ସେହି ଅଞ୍ଚଳର ସୁରକ୍ଷା ପାଇଁ ଲଢ଼ିବେ ସେମାନେ କୌଣସି ସଭାସମିତିରେ ଯୋଗ ଦେଇପାରିବେ ନାହିଁ।

ନିଜ ଅଞ୍ଚଳର ମା ମାଟି ପାଇଁ କଥା କହୁଥିବା ଆଦିବାସୀ ମାନଙ୍କ ସ୍ୱରକୁ ଦବାଇ ଦେବାପାଇଁ ସରକାର ରୀତିମତ କୌଶଳ କରୁଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି।ଯେହେତୁ ଏମାନେ ବେଦାନ୍ତ, ମୈତ୍ରୀ ଏବଂ ଆଦାନୀ କୁ ବିରୋଧ କରୁଛନ୍ତି କାରଣ ଏହି ତିନୋଟି କମ୍ଫାନୀଙ୍କ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଦୁର୍ବିସହ ହୋଇପଡୁଛି ତେଣୁ ସରକାର କର୍ପୋରେଟ ପଲିସିରେ କମ୍ପାନୀ ମାନଙ୍କ ସହିତ ମିଶି ଜଣେ ଜଣେ ସାଧାରଣ ଲୋକଙ୍କ ନାମରେ ୧୦ ରୁ ୧୨ ଗୋଟି କେସ ଛନ୍ଦି କାରାଗାରକୁ ପଠାଇ ଦେଉଛନ୍ତି।ପୋଲିସ କୁ ହାତ ବାରିସ୍ କରି ଏମିତି ଦଫା ମଧ୍ୟ ଲଗାଇ ଦେଉଛନ୍ତି ଯାହାଦ୍ଵାରା ସହଜରେ ବେଲ୍ ମିଳିବା ମଧ୍ୟ ସମ୍ଭବ ହେଉନାହିଁ।

ଯେଉଁ ୧୧ ଜଣଙ୍କୁ ସରକାର ବା ପ୍ରଶାସନ ସଭାସମିତିରେ ଯୋଗ ଦେବାପାଇଁ ରୋକ୍ ଲାଗାଇଛି ସେମାନେ ହେଲେ, ଲାଲ ମାଝୀ(କଲରାପାଟ),ପଦ୍ମନ୍ ନାୟକ,ସୁବାଷ ସିଂ ମାଝୀ,ଗୋବିନ୍ଦ ମାଝୀ,ସାନୁ ମାଝୀ,ଗୋବିନ୍ଦ ନାୟକ,ଲକ୍ଷ୍ମଣ ନାୟକ,ମୁନିଦେଇ ମାଝୀ,ପବିତ୍ର ନାୟକ,ଲକ୍ଷ୍ମଣ ମାଝୀ(ସମସ୍ତେ କାଶିପୁର) ବ୍ରିଟିଶ କୁମାର ହରିଜନ ନାୟକ(ବିଜେପୁର) ଏମାନେ ସମସ୍ତେ ଆଦିବାସୀ ଓ ଦଳିତ ସଂପ୍ରଦାୟର।ବିଡ଼ମ୍ବନାର ବିଷୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଥମ ନାଗରିକ ଆଦିବାସୀ ହୋଇଥିବାବେଳେ କଳାହାଣ୍ଡିର ଆଦିବାସୀ ମାନଙ୍କୁ ମନଇଛା ପ୍ରତିବନ୍ଧକ ଲଗାଇ କାରାଗାରରେ ପୁରାଉଛି।ଉପର ସ୍ତରରୁ ନିର୍ଦ୍ଦେଶ ନଆସିଲେ ଏହା କେବେ ସମ୍ଭବ ନୁହେଁ ବୋଲି ମନେ ହେଉଛି।
ଏବେ ଆସନ୍ତୁ ଯଦି ନୂଆପଡ଼ା ଆଉ ଏହି ସମସ୍ୟା ଉଭୟକୁ କିଛି ମାତ୍ରାରେ ତୁଳନା କରିବେ ତେବେ ଆପଣ ଭଲଭାବେ ବୁଝି ପାରିବେ କିଭଳି ଲୋକ ମାନଙ୍କୁ ଓଲା ବାନାଯାଉଛି। ପିସିସି ସଭାପତି ଭକ୍ତ ଦାସ କହୁଛନ୍ତି ମୁଁ ଗାନ୍ଧୀ ପଥରେ ଓଡ଼ିଶା ତିଆରି କରୁଛି।ହେଲେ କେବଳ ଯେ ପିସିସି ସଭାପତି ହୋଇଗଲେ ଯେ ଓଡ଼ିଶାର ବରପୁତ୍ର ହୋଇଯିବେ ସେଭଳି ଭାବିବା ଭକ୍ତ ବାବୁଙ୍କର ନିଶ୍ଚିନ୍ତ ଭ୍ରମ।

ଯଦି ସେ ଗାନ୍ଧୀ ପଥରେ ଓଡ଼ିଶା ତିଆରି କରିଥାନ୍ତେ ,ତେବେ ତାଙ୍କରି ଲୋକସଭା କ୍ଷେତ୍ରରେ ଆଦିବାସୀ ମାନଙ୍କୁ ପ୍ରଶାସନ ପ୍ରତିବନ୍ଧକ ଲଗାଉଛି ଏଭଳି ସମୟରେ ଭକ୍ତ ବାବୁ ସେମାନଙ୍କ ପାଖରେ ନପହଞ୍ଚି କରୁଛନ୍ତି କଣ ଏହା ପ୍ରଶ୍ନ ଉଠିବା ସ୍ଵାଭାବିକ।ଅନ୍ତତଃ ଭକ୍ତ ବାବୁ ନୂଆପଡ଼ା ଛାଡି ସେହି ଜନ ଆନ୍ଦୋଳନ ସ୍ଥଳରେ ପହଞ୍ଚନ୍ତୁ।ନୂଆପଡ଼ା ଉପ ନିର୍ବାଚନ ପାଇଁ କଂଗ୍ରେସ୍ ୪୦ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଥିବା ବେଳେ କାହିଁକି ଅନ୍ତତଃ ଭକ୍ତ ବାବୁ ଗୋଟିଏ ପାଞ୍ଚ ଜଣିଆ କମିଟି କରି କଳାହାଣ୍ଡିର ଭବାନୀପାଟଣା ସେହି ଆଦିବାସୀ ମାନଙ୍କ ଆନ୍ଦୋଳନ ସ୍ଥଳକୁ ପଠାଇ ପାରିଲେ ନାହିଁ?କିଛିଦିନ ତଳେ ପରିବେଶ ପରିବର୍ତ୍ତନ ଏସବୁ ପାଇଁ ଗୋଟିଏ କମିଟି ତିଆରି କରିଥିଲେ ଭକ୍ତ ବାବୁ ,ଅନ୍ତତଃ ସେହି କମିଟି ନୂଆପଡ଼ା ଛାଡି ଯଦି ଶିଯିମାଳି ନିୟମଗିରିରେ ଅତ୍ୟାଚାରିତା ହେଉଥିବା ଆଦିବାସୀ ମାନଙ୍କ ପାଖରେ ପହଞ୍ଚତା ତେବେ ରାଜ୍ୟବାସୀ ଅନୁଭବ କରନ୍ତେ ବାସ୍ତବରେ ଭକ୍ତ ଦାସ ଗାନ୍ଧୀ ପଥରେ ଓଡ଼ିଶା ନିର୍ମାଣ କରୁଛନ୍ତି ନଚେତ୍ ଲୋକେ କହିବେ ପିସିସି ସଭାପତି ବେଦାନ୍ତ ପଥରେ ନୂତନ ଓଡ଼ିଶା ତିଆରି କରିବାରେ ଲାଗି ପଡ଼ିଛନ୍ତି।


ଇଏ ତ ଥିଲା କଂଗ୍ରେସ କଥା ,ଏବେ ଆସନ୍ତୁ ନଜର ପକାଇବା ବିଜୁ ଜନତା ଦଳର ଚଞ୍ଚକତା ଉପରେ।ବାସ୍ତବରେ ନବୀନ ସରକାରଙ୍କ ଅମଳରେ ହିଁ ଏହି ଚଞ୍ଚକତାର ମୂଳଦୁଆ ପଡିଥିଲା।କର୍ପୋରେଟ କୁ ଗେହ୍ଲା ପୁଅ କରିକି ହିଁ ଲୁଟ୍ କରିବାର ସିଧାସଳଖ ସବୁଜ ସଙ୍କେତ ଦେଇଥିଲେ ନବୀନ ସରକାର।ନୂଆପଡ଼ା ଉପ ନିର୍ବାଚନ ପାଇଁ ୬୦ ଜଣିଆ ବିରାଟ ଷ୍ଟାର ପ୍ରଚାରକ ବିଜେଡ଼ି ଘୋଷଣା କରିଥିଲେ ମଧ୍ୟ ସେହି ନୂଆପଡ଼ା ଠାରୁ ମାତ୍ର କିଛି ଦୂରରେ ଅତ୍ୟାଚାରର ଶିକାର ହେଉଥିବା ଆଦିବାସୀ ମାନଙ୍କ ପାଖରେ ଦଳ ତରଫରୁ କେହି ପହଞ୍ଚିଲେ ନାହିଁ।ସେମାନଙ୍କ ସହିତ ସ୍ୱର ମିଳାଇବା ପାଇଁ ଅନ୍ତତଃ ପାଞ୍ଚ ସାତ ଜଣିଆ ଗୋଟିଏ ଟିମ୍ ପଠାଇ ପାରାନ୍ତେ ନବୀନ ବାବୁ କିନ୍ତୁ ଏକଥା ନବୀନ ବାବୁଙ୍କ ଜ୍ଞାତରେ ଅଛି କି ନାହିଁ ସନ୍ଦେହ ଉପୁଜିଲାଣି।ସେପଟେ ଭାରତୀୟ ଜନତା ପାର୍ଟିର ସମସ୍ତ ପ୍ରମୁଖ ମୁଖିଆ ମାନେ ବି ନୂଆପଡ଼ାରେ ଡେରା ପକାଇ ସାରିଲେଣି।

ମୂଖ୍ୟମନ୍ତ୍ରୀ ମଧ୍ୟ ବାରମ୍ବାର ନୂଆପଡ଼ା ଯାଇ ବିକାଶର ନାରା ଦେଉଛନ୍ତି କିନ୍ତୁ ବିଜେପି ପକ୍ଷରୁ ମଧ୍ୟ ନୂଆପଡ଼ାରୁ ଅଳ୍ପ ଦୂରରେ ନୀୟଗିରି ସୁରକ୍ଷା ମଞ୍ଚର ବା ମାଆ ମାଟି ସୁରକ୍ଷା ମଞ୍ଚର ଅବହେଳିତ ଆଦିବାସୀ ମାନଙ୍କ ସହିତ କଣ ଘଟୁଛି ତାହା ଜାଣିବା ପାଇଁ ସେମାନଙ୍କ ପାଖରେ ଜଣେ ହେଲେବି ନେତା କେହି ପହଞ୍ଚୁ ନାହାଁନ୍ତି।ସେହି ସ୍ଥାନରେ ଆଦିବାସୀ ମାନେ ବେଘର ହୋଇସାରିଲେଣି କିନ୍ତୁ ବିଜେଡ଼ି ବିଜେପି କିମ୍ବା କଂଗ୍ରେସ ପ୍ରମୁଖ ତିନି ରାଜନୈତିକ ଦଳର କେହି ଜଣେ ହେଲେବି ନେତା ସେହି ସ୍ଥାନରେ ଦେଖିବାକୁ ମିଳୁନାହାନ୍ତି।ବେଦାନ୍ତ କୁହନ୍ତୁ ଅବା ମୈତ୍ରୀ ଏମାନେ ହେଉଛନ୍ତି କର୍ପୋରେଟ ସଂସ୍ଥା ,ଏମାନଙ୍କ କାମ ହେଉଛି ଖଣି କାରବାର ଏକଥାକୁ ଆମେ ମଧ୍ୟ ଅସ୍ବୀକାର କରୁନାହୁଁ କିନ୍ତୁ କଥା ହେଉଛି ନିୟମକୁ ଭାଙ୍ଗିଛି କିଏ?ଯେଉଁ ମିଛ ଜନ ଶୁଣାଣି କରି ବେଦାନ୍ତକୁ ଦେଇଥିଲେ ଏଥିରେ ହାଇକୋର୍ଟ ରୋକ୍ ଲଗାଇ ଆଉଥରେ ଜନ ଶୁଣାଣି କରାଯାଉ।ନିୟମଗିରିରେ ମଧ୍ୟ ସମାନ ଚଞ୍ଚକତା ହୋଇଥିଲା ସୁପ୍ରିକୋର୍ଟ ସମାନ ଭାବେ ନିର୍ଦ୍ଦେଶ ଦେଲେ ଆଉଥରେ ଜନ ଶୁଣାଣି କରାଯାଉ।

ତାପରେ ଲୋକମାନେ ସଂପୂଣ୍ଣ ଭାବେ ଖଣି ଖନନ ବନ୍ଦ ହେବାପାଇଁ ମତ ଦେଲାପରେ ଏହା ସଂପୂର୍ଣ୍ଣ ବନ୍ଦ କରିଦିଆଗଲା।ଏବେ ପୁଣିଥରେ ଆଦିବାସୀ ମାନଙ୍କ ଉପରେ ସମାନ ଅତ୍ୟାଚାର ଆରମ୍ଭ ହୋଇଛି।ସରକାର ଚଲାଇବା ପାଇଁ ବା ବିକାଶ ହେବ, ଅର୍ଥ ଆସିବ ଏଥିପାଇଁ ମୋହନ ସରକାରଙ୍କ ଚାପ ଥାଇପାରେ କିନ୍ତୁ ଆଦିବାସୀ ହିସାବରେ ଆଦିବାସୀ ମାନଙ୍କ ହକ ପାଇଁ ମଧ୍ୟ ଆଗକୁ ଆସିବା ଆବଶ୍ୟକ।ସେହିପରି କଂଗ୍ରେସ କାହିଁକି ଚୁପ୍ ବସିଛି?ଭକ୍ତ ଦାସ କାହିଁକି ଏପର୍ଯ୍ୟନ୍ତ ସିଜୀମାଳି , କାଶିପୁର ଅଞ୍ଚଳରେ ପଦ ଯାତ୍ରା କରୁନାହାଁନ୍ତି?ଲାଗୁଛି ଏବେ ସ୍ୱର ବଦଳାଇ ସାରିଲାଣି ଭକ୍ତ ବାବୁ।ସୂଚନା ଯୋଗ୍ୟ କେବଳ ଏବେ ନୁହେଁ ୧୯୯୬ ମସିହା ଆରମ୍ଭରୁ ପ୍ରଥମ ନେତା ଭାବେ ପାର୍ଲିଆମେଣ୍ଟ ରେ ବେଦାନ୍ତ ସପକ୍ଷରେ ଓକିଲାତି କରି କହିଥିଲେ ଯେ ବେଦାନ୍ତ ହାତକୁ ନିୟମଗିରି କୁ ଟେକି ଦିଆଯାଉ।ଏହା ଆମେ ମନ ଗଡା କାହାଣୀ କହୁନାହୁଁ,ଏହା ପାର୍ଲିଆମେଣ୍ଟ ର ନଥିପତ୍ରରେ ମଧ୍ୟ ମହଜୁତ ରହିଛି।ଲାଗୁଛି ଏବେ ପୁଣି ବୁଲିବୁଲି ଭକ୍ତ ଦାସଙ୍କ ଅସଲ ରୂପ ବାହାରିଛି।


ତେବେ ନୂଆପଡ଼ାବାସୀ ଏମାନଙ୍କ ସମସ୍ତଙ୍କୁ ଭଲ ଭାବେ ଚିହ୍ନି ରଖନ୍ତୁ କାରଣ ଏବେ ପୁଣି ଚାଲିବ ନୂଆପଡ଼ା ବିକାଶର ଦାଇତ୍ୱ ଆମେ ନେଉଛି।ନୂଆପଡ଼ା କୁ ବିକାଶର ଶୀର୍ଷରେ ପହଞ୍ଚାଇବୁ।କିନ୍ତୁ ନୂଆପଡ଼ା ବାସୀ ଏମିତି ଫମ୍ପା ଭାଷଣରେ ଭାଷୀ ନଯାଇ ମିଛ ପ୍ରତିଶ୍ରୁତି କୁ ବିଶ୍ୱାସ ନକରି ନିଜ ମାଆ ମାଟି ସୁରକ୍ଷା ପାଇଁ,ନିଜ ହକ ପାଇବା ପାଇଁ ଆଗକୁ ଆସନ୍ତୁ ମିଛ ଭାଷଣର ସୌଦାଗର ମାନଙ୍କୁ ସାମ୍ନା କରି ସେମାନଙ୍କ ଅସଲ ଚେହେରା ସେମାନଙ୍କୁ ଦେଖାଇ ଦିଅନ୍ତୁ।

Related Posts