ସ୍ବର୍ଗଦ୍ବାରରେ ଲାଗିଲା କଟକଣା: ସୋମବାରଠୁ ବାହାର ଜିଲ୍ଲାର ଶବଦାହ ଉପରେ ରୋକ

ପୁଣିଥରେ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି କରୋନା ସଂକ୍ରମଣ | ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଦୈନିକ ସଂକ୍ରମଣ ଏବେ ୩ ହଜାର ମୁହାଁ ହେବାକୁ ବସିଥିବା ବେଳେ, ଆଗକୁ ପରିସ୍ଥିତି ଆହୁରି ସଙ୍ଗିନ ହୋଇପାରେ। ଏହାକୁ ନଜରରେ ରଖ୍ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଓ ଏବେ ସ୍ବର୍ଗଦ୍ବାରରେ କଟକଣା ଲଗାଯାଇଛି। ସୋମବାରଠାରୁ ବାହାର ଜିଲ୍ଲାର ମୃତଦେହ ସ୍ବର୍ଗଦ୍ବାରରେ ଦାହ କରାଯାଇପାରିବ ନାହିଁ ।

ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ସ୍ଵର୍ଗଦ୍ଵାର ପ୍ରତି ସମସ୍ତଙ୍କର ଆଧ୍ୟାତ୍ମିକ ବିଶ୍ଵାସ ରହିଛି। ଏଥ୍‌ସହ ମହୋଦଧିରେ ଅସ୍ଥି ବିସର୍ଜନ କରିବାର ପରମ୍ପରା ବି ଅଛି। ହେଲେ ବର୍ତ୍ତମାନ ରାଜ୍ୟ ତଥା ଜିଲ୍ଲାରେ ଯେଉଁଭଳି ସଂକ୍ରମଣ ବଢୁଛି ତାହା ଏକ ଚାଲେଞ୍ଜ ହୋଇଛି। ଅନ୍ୟପକ୍ଷରେ ମୃତଦେହ ଆଣି ଆସୁଥିବା ସମ୍ପର୍କୀୟଙ୍କ କୋଭିଡ୍ ଟେଷ୍ଟ ହୋଇ ନ ଥାଏ। ତେଣୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ସ୍ଵର୍ଗଦ୍ଵାର ସେବା ସମିତିର ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେଣୁ ଏହାକୁ ନଜରରେ ରଖ୍ ପ୍ରଶାସନ କଟକଣା ଲଗାଇଛି। ସୋମବାରଠାରୁ ପୁରୀ ଜିଲ୍ଲା ବାହାରର କୌଣସି ମୃତଦେହ ସ୍ବର୍ଗଦ୍ବାରରେ ଦାହ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ମହୋଦଧରେ ଅସ୍ଥି । ବିସର୍ଜନ ବି ବର୍ତ୍ତମାନ ପାଇଁ ବନ୍ଦ ରହିବ । ଜିଲ୍ଲା ମଧ୍ୟରୁ କୌଣସି ମୃତଦେହ ଆସିଲେ ତାଙ୍କର କୋଭିଡରେ ମୃତ୍ୟୁ ଘଟି ନ ଥିବା ସମ୍ପର୍କୀୟଙ୍କୁ ସ୍ବୀକାରପତ୍ର ଦେବାକୁ ପଡ଼ିବ ।

Related Posts