ହମ ନିଭାଏଙ୍ଗେ

ଘୋଷଣା ହେଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି କଂଗ୍ରେସ ତା’ର ନିର୍ବାଚନୀ ଇସ୍ତହାର ଜାରି କରିଛି । ଏହି ଇସ୍ତହାରରେ ଜନତାଙ୍କ ହିତ ପାଇଁ ୧୫ଟି ମୁଖ୍ୟ ପ୍ରତିଶ୍ରୁତି ରହିଛି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଇସ୍ତହାରର ନାଁ ‘ହମ ନିଭାଏଙ୍ଗେ’ ଥିବା ବେଳେ ଇସ୍ତହାର ଜାରି କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ କଟାକ୍ଷ କରିଥିବା ଦେଖା ଯାଇଥିଲା । ମୋଦୀ ପ୍ରକୃତ ବିଷୟ ଉପରେ ଆଲୋଚନା କରୁନାହାନ୍ତି । ସେ ଚାହିଁଲେ ମୋ ସହ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ତର୍କ କରିପାରିବେ ବୋଲି କହି ମୋଦୀଙ୍କୁ ସମାଲୋଚନା କରିଥିଲେ ରାହୁଲ । ଏହା ସହ ଇସ୍ତାହର ବିଷୟରେ କହିବାକୁ ଯାଇ, ଏହା ବନ୍ଦ କୋଠରୀ ଭିତରେ ତିଆରି କରାଯାଇ ନାହିଁ । ଏହା ଦେଶର ଜନତା ଚାହୁଁଥିବା ଜିନିଷକୁ ନେଇ ତିଆରି କରାଯାଇଥିବା କହିଥିଲେ ରାହୁଲ ।

ସେହିପରି ଦ୍ୱିତୀୟରେ ରୋଜଗାର ହେଉଛି ଦେଶରେ ବଡ଼ ସମସ୍ୟା । ବର୍ଷକୁ ୨ କୋଟିଙ୍କୁ ନିଯୁକ୍ତି ମିଳିବା ନେଇ ମୋଦୀଙ୍କ ପ୍ରତିଶ୍ରୁତି ପୂରଣ ହୋଇନାହିଁ । ୨୦୨୦ ସୁଦ୍ଧା କଂଗ୍ରେସ ଆସିଲେ ୨୨ ଲକ୍ଷଙ୍କୁ ସରକାରୀ ନିଯୁକ୍ତି ମିଳିବ । ୧୦ ଲକ୍ଷ ଯୁବକଙ୍କୁ ପଞ୍ଚାୟତ ସ୍ତରରେ ନିଯୁକ୍ତି ମିଳିବ । ତିନି ବର୍ଷ ପାଇଁ ବ୍ୟବସାୟ କରିବାକୁ ହେଲେ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ । ସେହିପରି ମନରେଗାରେ ୧୦୦ ଦିନକୁ ବାଇ ୧୫୦ ଦିନ କରାଯିବ । ଯୁବ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ଆରମ୍ଭର ୩ ବର୍ଷ ଯାଏ କାହାଠାରୁ ଅନୁମତି ନେବାର ଆବଶ୍ୟକତା ରହିବ ନାହିଁ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

କଂଗ୍ରେସ କ୍ଷମତାକୁ ଆସିଲେ ବନ ଅଧିକାର ଅଧିନିୟମ ୨୦୦୬କୁ ଲାଗୁ କରିବା ସହ କୌଣସି ବନବାସୀଙ୍କ ସହ ଅନ୍ୟାୟ ହେବ ନାହିଁ । କ୍ଷମତାକୁ ଆସିବା ପରେ ଗୃହ ଅଧିକାର ଅଧିନିୟମ ଲାଗୁ କରି ଯେଉଁମାନଙ୍କ ପାଖରେ ନିଜର ଘର ବା ଜମି ନାହିଁ, ସେମାନଙ୍କୁ ଜମି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ବିଜେପି ସରକାର ଆସିବା ଦ୍ୱାରା ଦଳିତ ଲୋକମାନଙ୍କ ପ୍ରତି ଅତ୍ୟାଚାର ବଢି ଯାଇଥିବା ବେଳେ ଏହାକୁ ଶେଷ କରିବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ଗୋପନୀୟତା ଉପରେ ଏକ ଆଇନ୍ ପ୍ରଣୟନ କରିବା ସହ ଆଧାର ଅଧିନିୟମର ମୂଳ ଉଦ୍ଦେଶ୍ୟ ପାଇଁ ଆଧାରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ସିଧା ନିର୍ବାଚିତ ହୋଇଥିବା ମେୟରମାନଙ୍କ ଦ୍ୱାରା ସହରମାନଙ୍କ ପାଇଁ ଶାସନର ଏକ ନୂଆ ମଡେଲ ଆଣିବ । ହେଉଥିବା ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ମଜବୁତ କରାଯିବ । ୫ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସଂସ୍ଥାଗୁଡ଼ିକ ଦୁର୍ବଳ ହୋଇଯାଇଥିବା କହିବା ସହ ଆରବିଆଇ, ସିବିଆଇ, ଇସିଆଇ, ସିଆଇସି ଇତ୍ୟାଦି ସଂସ୍ଥାଗୁଡ଼ିକୁ ଅଧିକାର ଏବଂ ସ୍ୱରାଜ୍ୟ ଦେବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସେହିପରି ଏମଜିନରେଗା ଅଧିନରେ କଂଗ୍ରେସ କ୍ଷମତାକୁ ଫେରିଲେ ୧୦୦ଟି କାର୍ଯ୍ୟ ଦିବସକୁ ବଢ଼ାଇ ୧୫୦ ଦିନ କରାଯିବ । ଚାଷୀମାନେ ଋଣ ସୁଝି ନ ପାରିଲେ ଏହାକୁ ଅପରାଧିକ ମାମଲା ବଦଳରେ ସିଭିଲ ଅଫେନ୍ସ ଭାବେ ବିଚାର କରାଯିବ । କଂଗ୍ରେସ କ୍ଷମତାକୁ ଆସିଲେ ଜିଡିପିର ୬% ଅର୍ଥକୁ ଶିକ୍ଷା କ୍ଷେତ୍ରରେ ନିବେଶ କରାଯିବ । ଗରିବ ଲୋକମାନେ ସରକାରୀ ହସ୍ପିଟାଲରେ ଯେମିତି ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ, ସେ ଦିଗରେ କଂଗ୍ରେସ କ୍ଷମତାକୁ ଆସିଲେ ବ୍ୟବସ୍ଥା କରିବ ।

ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଆପ୍ସା ଆଇନରେ ସଂଶୋଧନ କରିବ । ବିଦ୍ରୋହୀ ସକ୍ରିୟ ଥିବା ଅଞ୍ଚଳରେ ଭାରତୀୟ ସେନାକୁ ଏହି ଆଇନ ଅନୁସାରେ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ସେନାକୁ କ୍ଷମତା ଦେବା ବେଳେ ମାନବାଧିକାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଜମ୍ମୁକାଶ୍ମୀର ପାଇଁ ଲାଗୁ ହେଉଥିବା ଆଇନରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଏକାଧିକ ପରିବର୍ତନ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ବର୍ତମାନ ଜମ୍ମୁକାଶ୍ମୀର, ନାଗାଲ୍ୟାଣ୍ଡ, ମଣିପୁର ଓ ଉତର ଭାରତର କିଛି ଅଂଶରେ ଆପ୍ସା ଆଇନ ଲାଗୁ କରାଯାଉଛି ।

କଂଗ୍ରେସ କ୍ଷମତାକୁ ଆସିଲେ ଦେଶଦ୍ରୋହ ସଂକ୍ରାନ୍ତ ଆଇନ ଉଚ୍ଛେଦ କରିବ । ଭାରତୀୟ ପିଙ୍ଗଳ କୋଡର ଧାରା ୧୨୪ଏ (ଦେଶଦ୍ରୋହ)କୁ ଉଚ୍ଛେଦ କରାଯିବ । ଏହି ଧାରାର ଅପବ୍ୟବହାର କରାଯାଉଥିବାରୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇବ ବୋଲି କହିଛି । ଏହାବାଦ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉଦ୍ୟୋଗୀମାନଙ୍କ ପାଇଁ କଂଗ୍ରେସ ତା’ର ଘୋଷଣାପତ୍ରରେ ଅନେକ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ପଦାଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରାଯାଇଛି ।

Leave A Reply

Your email address will not be published.