ହାତ ଧରିଲେ ଅଶ୍ୱିନୀ ପୂଜାହାରୀ

ଦୃଢ କାର୍ଯ୍ୟାନୁଷ୍ଠାନ, ଲୁଣ ଓ ତବଲା ଥେରାପୀ କରି ବିବାଦ ଘେରକୁ ଆସିଥିବା ସମ୍ବଲପୁର ବୁର୍ଲା ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୂଜାହାରୀ ଶେଷରେ ରାଜନୀତିକୁ ପ୍ରବେଶ କରିଛନ୍ତି । ଡ. ପୂଜାହାରୀ ଆଜି ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ଡ. ପୂଜାହାରୀ ଭୁବନେଶ୍ୱର ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ସେ ସମ୍ବଲପୁରରୁ ଏକ ବିଧାନସଭା ଆସନରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୯ରେ ଡାକ୍ତର ଅଶ୍ୱିନୀ ପୂଜାହାରୀ ବୁର୍ଲା ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ବାଧ୍ୟତାମୂଳକ ଭାବରେ ଛୁଟିରେ ରଖାଯାଇଥିବା ଡ. ପୂଜାହାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଉତର ନ ମିଳିବାରୁ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ ।

ଡ. ଅଶ୍ୱିନୀ ପୂଜାହାରୀ ନିଯୁକ୍ତି ହେବା ପରଠାରୁ ତାଙ୍କୁ ନେଇ ବହୁ ବିବାଦ ଦେଖା ଦେଇଥିଲା । ମେଡ଼ିକାଲ ଜୁନିଅର ଡାକ୍ତର ସଂଘ ତାଙ୍କ କାର୍ଯ୍ୟଶୈଳୀ ଓ ଚିକିତ୍ସାଶୈଳୀ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ । ଏହାପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅନୁଧ୍ୟାନ କରାଯାଇ ତାଙ୍କୁ ବାଧ୍ୟତାମୂଳକ ଭାବରେ ଗତ ଡିସେମ୍ବର ୮ ତାରିଖରୁ ତାଙ୍କୁ ଛୁଟିରେ ପଠାଯାଇଥିଲା । ଶେଷରେ ସେ ନିଜ ତରଫରୁ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.