
ହିଜାବକୁ ନେଇ ଏବେ ଚାରିଆଡ଼େ ବିବାଦ ମୁଣ୍ଡ ଟେକିଥିବା ବେଳେ, ବିଭିନ୍ନ ଦିଗରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଏବେ ବିଜେପି ନେତ୍ରୀ ତଥା ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁମାନେ ନିଜ ଘରେ ଅସୁରକ୍ଷିତ ସେମାନେ ସେଠାରେ ହିଜାବ ପିନ୍ଧିବା ଉଚିତ୍, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆବଶ୍ୟକ ନୁହେଁ ବୋଲି ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ସାଧ୍ୱୀ ପ୍ରଜ୍ଞା ।
ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ପିନ୍ଦୁଥିବା ହିଜାବକୁ ନେଇ ଆପତ୍ତି ଉଠାଇଛନ୍ତି । ବୁଧବାର ଭୋପାଳରେ ଏକ କାର୍ୟ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, “ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ। ତୁମେ ତୁମ ଘରେ ହିଜାବ ପିନ୍ଧିବା ଉଚିତ୍। ” ହିଜାବ ବିବାଦ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ଯେତେବେଳେ ଛାତ୍ରମାନେ ବିଦ୍ୟାଳୟକୁ ଯାଆନ୍ତି, ସେମାନେ ବିଦ୍ୟାଳୟ ୟୁନିଫର୍ମ ପିନ୍ଧନ୍ତି ଏବଂ ଶିକ୍ଷାନୁଷ୍ଠାନର ଅନୁଶାସନ ଅନୁସରଣ କରିବା ଉଚିତ । ହିନ୍ଦୁ ଧର୍ମ ଶ୍ରେଷ୍ଠ ଧର୍ମର୍ । ଏହି ଧର୍ମରେ ମହିଳାଙ୍କୁ ପୂଜା କରାଯାଏ । ଏହି ଧର୍ମ ଏତେ ଉଚ୍ଚ ଓ ସଂସ୍କାରୀ ବିଚାର ଧାରାର ଯେ ହିନ୍ଦୁ ମହିଳାଙ୍କୁ ହିଜାବ ପିନ୍ଧିବାର କିଛି ଆବଶ୍ୟକତା ହିଁ ନାହିଁ । ବରଂ ହିଜାବ ସେହିମାନଙ୍କୁ ପିନ୍ଧିବା କଥା ଯେଉଁମାନଙ୍କର ଘରେ ହିଁ ବିପଦ ଅଛି । ଯେଉଁମାନଙ୍କ ଘରେ ହିଁ ସେମାନେ ଅସୁରକ୍ଷିତ ସେହିମାନେ ହିଜାବ ପିନ୍ଧନ୍ତୁ । କିନ୍ତୁ ବାହାରେ ଯେଉଁଠି ହିନ୍ଦୁମାନେ ଚଳପ୍ରଚଳ ହେଉଛନ୍ତି, ସେଠାରେ ସେମାନଙ୍କୁ ହିଜାବ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ଜ୍ଞାନର ମନ୍ଦିର ଶିକ୍ଷାନଷ୍ଠାନରେ ତ ହିଜାବର କିଛି ବି ଆବଶ୍ୟକତା ନାହିଁ’ ବୋଲି ପ୍ରଜ୍ଞା କହିଛନ୍ତି ।