
ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉସ୍କାଉଥିବା ଅଭିଯୋଗରେ ଗିରଫ ହୋଇଥିବା ହିନ୍ଦୁସ୍ଥାନୀ ଭାଉକୁ ମିଳିଲା ଜାମିନ୍ । ୧୬ ଦିନ ପରେ ଜେଲ୍ ରୁ ବାହାରକୁ ଆସିଛନ୍ତି ହିନ୍ଦୁସ୍ଥାନୀ ଭାଉ ।
ସୂଚନା ଅନୂସାରେ ଗତ ଫେବୃଆରୀ ୧ରେ ବିକାଶ ପାଠକ୍ ତଥା ହିନ୍ଦୁସ୍ଥାନୀ ଭାଉଙ୍କୁ ଗିରଫ କରାଯାଇଥିଲା । ହିନ୍ଦୁସ୍ତାନୀ ଭାଉ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ୍ କରିଥିଲେ । ଏହି ଭିଡିଓ ମାଧ୍ୟମରେ ଛାତ୍ରମାନେ ବିରୋଧ କରିବାକୁ ଉତ୍ସାହିତ ହୋଇଥିଲେ, ଏହା ପରେ ସୋମବାର ଦିନ ମୁମ୍ବାଇର ଧରାବୀରେ ଅନେକ ଛାତ୍ର ବିରୋଧ ପ୍ରଦର୍ଶନ କରିଥିଲେ ।
କୋଭିଡ -୧୯ ର ସଙ୍କଟ ମଧ୍ୟରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅନଲାଇନରେ କରାଯିବା ଉଚିତ ବୋଲି ଏହି ଛାତ୍ରମାନଙ୍କର ଏକ ଦାବି ରହିଥିଲା ଓ ହିନ୍ଦୁସ୍ତାନୀ ଭାଉ ମଧ୍ୟ ନିଜ ଭିଡିଓ ମାଧ୍ୟମରେ ଅନଲାଇନ୍ରେ ପରୀକ୍ଷା କରାଯିବା ଉଚିତ୍ ବୋଲି କହିଥିଲେ ଯାହାକୁ ନେଇ ତାଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଥିଲା ।
ଅନେକ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ଓ ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ରୁହନ୍ତି ହିନ୍ଦୁସ୍ଥାନୀ ଭାଉ । ବିଗ୍ ବସ୍ କୁ ଆସିବା ପରେ ସେ ଆହୁରି ଅଧିକ ଚର୍ଚ୍ଚିତ ହୋଇଥିଲେ । କିଛି ଜାତୀୟ ଗଚ୍ଚମାଧ୍ୟମର ଖବର ଅନୁଯାୟୀ ହିନ୍ଦୁସ୍ତାନୀ ଭାଉ ମୁମ୍ବାଇର ଏକ ସ୍ଥାନୀୟ ଖବର କାଗଜରେ କ୍ରାଇମ ରିପୋର୍ଟର ହୋଇଛି । ଅପରାଧ ସାମ୍ବାଦିକତା ପାଇଁ ସେ ୨୦୧୧ ମସିହାରେ ଶ୍ରେଷ୍ଠ ମୁଖ୍ୟ ଅପରାଧ ରିପୋର୍ଟର ଆଖ୍ୟା ମଧ୍ୟ ପାଇଛନ୍ତି ।