୧୬ରେ ମୋଦୀଙ୍କ ରୋଡ ଶୋ’

ବିମାନ ବନ୍ଦରରୁ ବରମୁଣ୍ଡା ପଡ଼ିଆ

ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାକୁ କେନ୍ଦ୍ରୀୟ ଷ୍ଟାର ପଚାରକଙ୍କ ସୁଅ ଛୁଟୁଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆସନ୍ତା ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱରର ବରମୁଣ୍ଡା ପଡିଆ ଓ ସମ୍ବଲପୁରର ଦଳୀୟ ସଭାରେ ଯୋଗଦେବେ । ଉକ୍ତ ଦିନ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ସେ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ରୋଡ ଶୋ’ କରିବେ ବୋଲି ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି ।

ଏହି ରୋଡ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ । ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏଥିସହିତ ମୋଦୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ନକ୍ସା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୁଟ ଲାଇନ, ପାର୍କିଂ, କାରକେଡ ଓ ସଭାସ୍ଥଳର ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ କମିଶନର ଓ ଡିସିପି । ପ୍ରଧାନମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଉପରେ କମିଶନରେଟ ପୋଲିସ ଅଧିକ ଗୁରୁତ୍ୱ ଦେଇଛି । କମିଶନରେଟ ପୋଲିସ ଓ ଏସପିଜି ଟିମ ମଧ୍ୟରେ ସିପି ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

ବିମାନବନ୍ଦରରୁ ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ପୋଲିସ ଅଫିସର ମୁତୟନ କରାଯିବ । ୪ ଜଣ ଅତିରିକ୍ତ ଡିସିପି ପାହ୍ୟାର ଅଫିସର ଏହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ । ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିଚାଳନା କରିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ କିଭଳି ବିମାନ ବନ୍ଦରରୁ କଡା ସୁରକ୍ଷାରେ ବରମୁଣ୍ଡା ପଡିଆକୁ ଯିବେ ସେ ନେଇ ମଧ୍ୟ ଏକ ମକ ଡ୍ରିଲ କରାଯିବ । ଏଥିରେ ମେଡିକାଲ ଟିମ ସହ ଅନ୍ୟ ଗାଡ଼ିଗୁଡିକ ସାମିଲ ହେବ । ସେହିଭଳି ଅଧିକ ଲୋକଙ୍କ ସମାଗମ ଆଶଙ୍କା ଥିବାରୁ ସଭାସ୍ଥଳ ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ସଭାସ୍ଥଳକୁ ଯାଉଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ଗଣମାଧ୍ୟମ ପ୍ରତିନିଧି ଓ ଦଳୀୟ ନେତାଙ୍କୁ ଏକ ସ୍ୱତନ୍ତ୍ର କାର୍ଡ ଦିଆଯିବ । ତାହାକୁ ଦେଖାଇ ସେମାନେ ସଭାମଞ୍ଚ ନିକଟକୁ ଯାଇପାରିବେ ବୋଲି କମିଶନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏସପିଜି ଟିମ ମଧ୍ୟ ସେମାନଙ୍କ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ । କେଉଁଠି କିପରି ସୁରକ୍ଷା ଦିଆଯିବ ତାହା ଉପରେ ମଧ୍ୟ ପରସ୍ପର ଅବଗତ କରାଇଥିଲେ । ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଯିବା ଆସିବା ବେଳେ ମୁଖ୍ୟ ରାସ୍ତା ସହ ଗଳିକନ୍ଦି ରାସ୍ତାକୁ ସିଲ କରାଯିବ । ଏହି ସମୟରେ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଅଧିକ ଟ୍ରାଫିକ ପୋଲିସ ନିୟୋଜିତ ଉପରେ ଏସପିଜି ପକ୍ଷରୁ ମତ ରଖାଯାଇଥିଲା ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପାରଳାଖେମୁଣ୍ଡି, କେନ୍ଦୁଝର, ବରଗଡ଼ ଆଦି ସ୍ଥାନରେ ନିର୍ବାଚନୀ ସଭା କରିଥିବା ବେଳେ ପୁରୀରେ ଏକ ରୋଡ ଶୋ’ କରିଥିଲେ ।

Leave A Reply

Your email address will not be published.