୨ ଆସନରୁ ଲଢ଼ିବେ ନିରଞ୍ଜନ

ଭଣ୍ଡାରିପୋଖରୀ ଓ ଘଷିପୁରା ଆସନରୁ ଛିଡ଼ା ହେବେ

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାମ ବି ରହିଛି । ସେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହା ସହିତ ସେ ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛି । ଘଷିପୁରାରୁ ସେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ।

ଭଦ୍ରକ ଆସନ ପାଇଁ ଆଶା ବାନ୍ଧି ବସିଥିବା ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଆଶା ମଉଳି ଯାଇଛି । ଭଦ୍ରକରୁ ନଳିନୀକାନ୍ତ ମହାନ୍ତିଙ୍କୁ ଦଳ ଟିକେଟ ଦେଇଥିବା ବେଳେ ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର, ଧର୍ମଶାଳାରୁ କିଷାନ ପଣ୍ଡା, ସାଲେପୁରରୁ ରବୀନ୍ଦ୍ରନାଥ କର, ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କା, ତିର୍ତୋଲରୁ ଦେବୀ ପ୍ରସାଦ ମଲ୍ଲିକ, ବାଲିକୁଦା-ଏରସମାରୁ ଡ. ଲଲାଟେନ୍ଦୁ ମହାପାତ୍ର ଓ ନିମାପଡ଼ାରୁ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି ।

ତିର୍ତୋଲରୁ ଦଳ ପ୍ରଥମେ ବିଭୁ ପ୍ରସାଦ ତରାଇଙ୍କୁ ଟିକେଟ ଦେଇଥିଲା । ତେବେ ଶ୍ରୀ ତରାଇ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଓ ବିଜେପି ତାଙ୍କୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଭାବେ ଟିକେଟ ଦେଇଛି ।

ସେହିପରି ଧର୍ମଶାଳା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି । ଏଠାରେ ପ୍ରଥମେ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଥିଲା । ତେବେ ଦଳର ସ୍ଥାନୀୟ ନେତୃବୃନ୍ଦ ତାଙ୍କୁ ଜୋରଦାର ବିରୋଧ କରିବା ସହ ତାଙ୍କ ଟିକେଟ କାଟିବାକୁ ଆନ୍ଦୋଳନ କରିଥିଲେ । ତେଣୁ ଦଳୀୟ ନେତୃବୃନ୍ଦକୁ ସନ୍ତୁଷ୍ଟ କରିବା ପାଇଁ ଏଠାରୁ କିଷାନ ପଣ୍ଡାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

ଅନ୍ୟପକ୍ଷରେ ଗତଥର ନିର୍ବାଚନରେ ସାଲେପୁର ଆସନରେ ପ୍ରକାଶ ବେହେରା କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ତେବେ ସେ ନିକଟରେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ତେଣଉ ତାଙ୍କୁ ବିଜେପି ସାଲେପୁରରୁ ଟିକେଟ ଦେଇଥିବାରୁ ଏଠାରେ କଂଗ୍ରେସ ଟିକେଟ ପାଇଁ ପ୍ରାର୍ଥୀ ଖୋଜାଯାଇଥିଲା । ଶେଷରେ ସାଲେପୁରରୁ ରବୀନ୍ଦ୍ରନାଥ କରଙ୍କୁ ଟିକେଟ ଦେଇଛି କଂଗ୍ରେସ ।

Leave A Reply

Your email address will not be published.