ସିବିଆଇ ପର୍ଲସ୍ ଗ୍ରୁପ୍ ସଂସ୍ଥା ନାଁରେ ୫.୫କୋଟି ଲୋକଙ୍କଠାରୁ ୬୦ ହଜାର କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି | ଫଳରେ ଏହି ସଂସ୍ଥାରେ କାର୍ଯ୍ୟକରୁଥିବା ୧୧ଜଣଙ୍କୁ ଗିରଫ କରାଯାଇଛି | ଗତକାଲି ଦିଲ୍ଲୀ, ଚଣ୍ଡୀଗଡ଼, କୋଲକାତା ଓ ଭୁବନେଶ୍ବରରୁ ଚଢ଼ଉ କରି ଏହି ୧୧ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କୁ ନେଇ ଦିଲ୍ଲୀସ୍ଥିତ ରୋଜ୍ ଆଭେନ୍ୟୁ କୋର୍ଟର ସ୍ପେସାଲ ଜଜ୍ଙ୍କ ପାଖରେ ହାଜର କରାଯାଇଛି।
ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ୮ଜଣଙ୍କୁ ପୁଲିସ ପଚରାଉଚରା ପାଇଁ ନିଜ ହେପାଜତରେ ରଖିଛି। ପୁଲିସ ହେପାଜତରେ ଥିବା ଏହି ୮ଜଣଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ବରର ବୋଲି ଜଣାପଡ଼ିଛି।
ପୁଲିସ ହେପାଜତରେ ଥିବା ୨ଜଣ ହେଲେ, ଓଡ଼ିଶାର ଏକ ପ୍ରତିଷ୍ଠିତ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ସୁବାସ ଅଗ୍ରଵାଲ ଓ ପରିଚାଳନା ନିର୍ଦ୍ଦେଶକ ରାଜେଶ ଅଗ୍ରଵାଲ। ସୁବାସ ଓ ରାଜେଶଙ୍କ ସମେତ ୧୧ ଅଭିଯୁକ୍ତ ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ କୌଣସି ବୈଧାନିକ ଅନୁମତି ନଥାଇ ଅର୍ଥଲଗାଣ ପାଇଁ ସଂସ୍ଥା ଖୋଲିଥିଲେ। ଜମାକାରୀଙ୍କୁ ଠକିବା ଉଦ୍ଦେଶ୍ୟରେ ଅଧିକ ଲାଭ ଦେବାର ଲୋଭ ଦେଖାଇ ସେମାନଙ୍କ ଠାରୁ ୬୦ ହଜାର କୋଟି ଟଙ୍କା ହଡ଼ପ କରିନେଇଥିଲେ। ତେବେ ଏନେଇ ଅଭିଯୋଗ ହେବାପରେ ୨୦୧୪ ଫେବ୍ରୁଆରିରେ ମାମଲା ରୁଜୁ କରିଥିଲା। ପରେ ୨୦୧୬ରେ ଚଣ଼୍ଡିଗଡ଼ ଓ ଜୟପୁରସ୍ଥିତ ଅର୍ଥ ହଡ଼ପକାରୀ ସଂସ୍ଥାର ୪ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଘଟଣାର ଅଧିକ ତଦନ୍ତ କରାଯିବା ପରେ ଏହି ଠକେଇର ପୂରା ଗୁମର ଫିଟିଥିଲା। ଏହି ଠକେଇ ପାଇଁ ଲୋକଙ୍କୁ ନକଲି ଜମି ପଟ୍ଟା ଦେଇ ଲୋଭ ଦେଖାଇଥିଲା ଉଭୟ ଜୟପୁର ଓ ଚଣ୍ଡିଗଡ଼ସ୍ଥିତ ଅର୍ଥ ହଡ଼ପକାରୀ ସଂସ୍ଥା। ଏହିଭଳି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫ହଜାର କୋଟି ଟଙ୍କା ଠକିବା ପରେ ଏନେଇ ପଞ୍ଜାବ ଓ ହରିୟାଣାରେ ଲୋକେ ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏନେଇ ସ୍ଥାନୀୟ ହାଇକୋର୍ଟ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ସଂପୃକ୍ତ ଅର୍ଥ ହଡ଼ପକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଟଙ୍କା ଫେରସ୍ତ କରିବା ପାଇଁ ସଂପୃକ୍ତ ଅର୍ଥ ହଡ଼ପକାରୀ ସଂସ୍ଥା ପୁଣି ସମାନ ଢଙ୍ଗରେ ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ।
୨ଟି ବେସରକାରୀ ସଂସ୍ଥା ଜରିଆରେ ସାରାଦେଶରେ ଲୋଭନୀୟ ସ୍କିମ୍ ଦେଖାଇ ଭଲ ଲାଭ ଦେବା ଆଳରେ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିଲେ। ପରେ ଏହି ହଡ଼ପ ଟଙ୍କାକୁ ପ୍ରଥମ ପର୍ଯ୍ୟାୟରେ ଜମାକାରୀଙ୍କୁ ଫେରସ୍ତ କରିଥିଲେ। କିଛି ଟଙ୍କା ଫେରସ୍ତ କରିବା ପରେ ସେମାନେ ଯେପରି ପରବର୍ତ୍ତୀ ମୁହୂର୍ତରେ ଆଉ କୋର୍ଟ କି ପୁଲିସର ଦ୍ବାରସ୍ଥ ନ ହେବେ, ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଇଥିଲେ। ପରେ ଏହି ଲୋଭନୀୟ ସ୍କିମ୍କୁ ସାରା ଭାରତବର୍ଷରେ ଲୋକପ୍ରିୟ କରିବା ପାଇଁ ୨ଟି ନୂଆ ବେସରକାରୀ ସଂସ୍ଥା ତିଆରି କରିଯାଇଥିଲା।