ଫେବୃୟାରୀ ୧୦ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ। ୧୦ ଓ ୧୧ ତାରିଖ ଦୁଇ ଦିନ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ରାଷ୍ଟ୍ରପତିଙ୍କ ସଚିବାଳୟର ‘ପର୍ସନାଲ୍‌ ସେଲ୍‌’ ଜାରି କରିଥିବା ଗସ୍ତ ସୂଚୀରୁ ଜଣାପଡ଼ିଛି।

ସୂଚନା ଅନୁସାରେ ୧୦ ତାରିଖ ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଉତ୍କଳ ମଣ୍ଡପକୁ ଯାଇ ‘ଜ୍ଞାନପ୍ରଭା ମିସନ୍‌’ର ପ୍ରତିଷ୍ଠା ଦିବସ ପାଳନ ନିମ‌ନ୍ତେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଉକ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଅପରାହ୍ଣ ୧. ୨୫ରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ତା’ପରେ ଅପରାହ୍ଣ ୪.୫ରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର (ବିଦ୍ୟା ବିହାର) ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଏହାପରେ ସନ୍ଧ୍ୟା ୫.୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରି ୫. ୩୦ରେ ରାଜଭବନରେ ପହଞ୍ଚିବା ପରେ ସେଠାରେ ରାତ୍ର ଭୋଜନ ଓ ରାତ୍ର ରହଣି କରିବେ।

ସେହିପରି, ଶନିବାର ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ଯାଇ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ପରେ ଭୁବନେଶ୍ବର ବିମାନ ବନ୍ଦରକୁ ଯିବେ। ସେଠାରୁ ବାୟୁସେନା ହେଲିକପ୍ଟର୍‌ ‘ଏମ୍‌ଆଇ ୧୭’ ଯୋଗେ ଯାଇ ପୂର୍ବାହ୍ନ ୧୦.୪୫ରେ କଟକ ହେଲିପ୍ୟାଡ୍‌ରେ ଅବତରଣ କରି ‘ଆଇସିଏଆର୍‌-ନ୍ୟାସ୍‌ନାଲ୍‌ ରାଇସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ରେ ଦ୍ବିତୀୟ ‘ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସ୍‌’ ଉଦ୍‌ଘାଟନ କରିବେ। ପୁଣି ହେଲିକପ୍ଟର୍‌ ଯୋଗେ କଟକରୁ ବାହାରି ଅପରାହ୍ଣ ୧୨. ୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରି ସେଠାରେ ଭାରତୀୟ ବାୟୁସେନାର ‘ବିବିଜେ’ ବିମାନ ଆରୋହଣ କରି ରାଷ୍ଟ୍ରପତି ମୁର୍ମୁ ବିମାନ ଭିତରେ ହିଁ ମଧ୍ୟାହ୍ନ ଭୋଜନ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପାଲାମ୍‌ ବିମାନ ବନ୍ଦରରେ ଅବତରଣ କରିବା ପରେ ରାଷ୍ଟ୍ରପତି ଅପରାହ୍ଣ ୩.୪୦ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ।

Related Posts