ଭାରତ ଯୋଡୋ ଯାତ୍ରାରେ ସୁରକ୍ଷାରେ ତ୍ରୁଟି; ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଶାହାଙ୍କୁ ଚିଠି ଲେଖିଲେ ଖଡଗେ

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପଯୁକ୍ତ ସୁରକ୍ଷା ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ଚିଠି ମାଧ୍ୟମରେ କଂଗ୍ରେସ ଦଳ ପକ୍ଷରୁ ଅନେକ ଦାବି କରିଛନ୍ତି ମଲ୍ଲିକାର୍ଜୁନ ଖାଡଗେ। ଏଥିସହ ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ଖଡଗେ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ବେଳେ ବ୍ୟାପକ ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥିପାଇଁ ଏହି ଯାତ୍ରାକୁ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା। ତେବେ ଆସନ୍ତା ଦୁଇ ଦିନରେ ଏହି ଯାତ୍ରାରେ ଯୋଗଦେବା ପାଇଁ ଏକ ବିଶାଳ ସମାବେଶ ହେବ। ଜାନୁଆରୀ ୩୦ରେ ଶ୍ରୀନଗରରେ ଯାତ୍ରାର ସମାପନ ସମାରୋହ ମଧ୍ୟ ହେବର ଅଛି। ଏହି ସମାପନ ସମାରୋହରେ କଂଗ୍ରେସର ବହୁ ବରିଷ୍ଠ ନେତା ତଥା ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଯୋଗ ଦେବେ। ତେଣୁ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବ୍ୟାପକ ସୁରକ୍ଷା ଯୋଗାଇବାକୁ ଚିଠି ମାଧ୍ୟମରେ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡଗେ।

ସେପଟେ ଶୁକ୍ରବାର ଦିନ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ହୋଇଥିବା ତ୍ରୁଟି ଅଭିଯୋଗକୁ ଜମ୍ମୁକଶ୍ମୀର ପୁଲିସ ଖଣ୍ଡନ କରିଛି। ଜମ୍ମୁ-କଶ୍ମୀର ପୁଲିସ ଟ୍ୱିଟ୍‌ କରି କହିଛି, ‘୧ କିଲୋମିଟର ଯାତ୍ରା ପରେ ଯାତ୍ରା ବନ୍ଦ କରିବାକୁ କୌଣସି ନିଷ୍ପତ୍ତି ନେବାକୁ ପୂର୍ବରୁ ଆୟୋଜକମାନେ ଜମ୍ମୁ-କଶ୍ମୀର ପୁଲିସ ସହିତ ପରାମର୍ଶ କରିନାହାଁନ୍ତି। ଅବଶିଷ୍ଟ ଯାତ୍ର ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ।’

ଉଲ୍ଲେଖଯୋଗ୍ୟ, କଶ୍ମୀରର ବାନିହାଲ ଅନ୍ତର୍ଗତ କ୍ୱାଜିଗୁଣ୍ଡ ନିକଟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଶୁକ୍ରବାର ଅଭିଯୋଗ କରିଥିଲେ ବରିଷ୍ଠ ନେତା କେସି ଭେନୁଗୋପାଲ। ତାଙ୍କ ଅଭିଯୋଗ ପରେ ଯାତ୍ରାକୁ ୨୦ ମିନିଟ ବନ୍ଦ କରାଯାଇଥିଲା ଓ ରାହୁଲ ଗାନ୍ଧି ଗୋଟିଏ କାର୍‌ ଯୋଗେ ଘଟଣାସ୍ଥଳରୁ ମଧ୍ୟ ଚାଲି ଯାଇଥିଲେ। ତେବେ ସବୁ କିଛି ଠିକଠାକ ହେବା ପରେ ପୁଣିଥରେ ରାହୁଲ ଗାନ୍ଧି ଆଣ୍ଡ କୋ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ।

Related Posts