ହାଇକୋର୍ଟ ସ୍ଥାୟୀ ବେଂଚ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ କେନ୍ଦ୍ର ପଦକ୍ଷେପ ନେବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ଟେକ୍ନୋଲୋଜିର ଉପଯୋଗରେ କୋର୍ଟ କାର୍ଯ୍ୟ ସମ୍ଭବପର ହୋଇପାରୁଥିବାବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ପଶ୍ଚିମଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗ ଆଶା ଏକ ପ୍ରକାର ମଉଳି ଯାଇଥିଲା । ମାତ୍ର କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ମଙ୍ଗଳବାର ଲୋକସଭାରେ ଶୂନ୍ୟକାଳରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହାପରେ ହାଇକୋର୍ଟ ସ୍ଥାୟୀ ବେଂଚ ଆଶା ପୁଣି ଉଜ୍ଜୀବିତ ହୋଇଛି । ରାଜ୍ୟ ସରକାର ଏନେଇ ବିଧିବଦ୍ଧ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ, କେନ୍ଦ୍ର ସରକାର ତା’ଉପରେ ପଦକ୍ଷେପ ନେବେ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜ୍ଜୁ କହିଛନ୍ତି ।

ମଙ୍ଗଳବାର ଲୋକସଭାରେ ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜ୍ଜୁ କହିଛନ୍ତି ଯେ, ଓଡ଼ିଶା ସରକାର ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଦାବି ଜଣାଇଛନ୍ତି । କିନ୍ତୁ ଏନେଇ କୌଣସି ବିସ୍ତୃତ ପ୍ରସ୍ତାବ ଦେଇନାହାନ୍ତି । ହାଇକୋର୍ଟଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଗତବର୍ଷ ଏପ୍ରିଲ ମାସରେ ସେ ନିଜେ ଏନେଇ ଚିଠି ମଧ୍ୟ ଲେଖିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନି । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଭିତ୍ତିଭୂମି ସୁବିଧା ଓ ବଜେଟ୍ ଆଦି ସମ୍ପର୍କରେ ବିସ୍ତୃତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ । ହାଇକୋର୍ଟଙ୍କ ସହମତି ସହ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିଲେ ଆଧାରରେ ହିଁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ରିଜ୍ଜୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରିଜ୍ଜୁ ମଧ୍ୟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅନୁରୂପ ପ୍ରତିକ୍ରିୟା ଦେଇଥିଲେ । ଯଶବନ୍ତ ସିଂହ କମିଶନଙ୍କ ସୁପାରିଶ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ବେଂଚ ସ୍ଥାପନ କରାଯାଉଛି ବୋଲି ଶ୍ରୀ ରିଜ୍ଜୁ ସେତେବେଳେ ମତ ଦେଇଥିଲେ ।

Related Posts