ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ସମନ ଜାରି କରିଛି । ଆସନ୍ତାକାଲି ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୧୦ରେ ଇଡି ଓ ଅନ୍ୟ ଅଧିକାରୀ କଟକ ଜିଲ୍ଲାରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ ସ୍ଥାୟୀ ଠିକଣାକୁ ଯାଇ ଅନୁସନ୍ଧାନ କରିଥିଲେ । ଏହାପରେ ନଭେମ୍ବର ୧୮ ତାରିଖରେ ଭୁବନେଶ୍ୱର ଇଡିର ଦୁଇ ଜଣ ଅଧିକାରୀ ତାଙ୍କୁ ସମନ ପ୍ରଦାନ କରିଥିଲେ ।
ତେବେ ଇଡି ସମନ ପାଇବା ପରେ ଶ୍ରଦ୍ଧାଞ୍ଜଳି ବେହେରା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଅର୍ଚ୍ଚନା ନାଗ ମାମଲାରେ ସେ ଜଣେ ପୀଡ଼ିତା ବୋଲି ଶ୍ରଦ୍ଧାଞ୍ଜଳିଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ, ନଭେମ୍ବର ୨ରେ ଇଡି ରୁଜୁ କରିଥିବା ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ତାଙ୍କ ନାଁ ରହିଛି। ଏହାପୂର୍ବରୁ ସେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୁଲିସ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ବର ଓ ଅନ୍ୟମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା।
ସେ ଜଣେ ପୀଡ଼ିତା ହୋଇଥିବା ବେଳେ ଇଡି ତାଙ୍କୁ ହାଜର ହେବାକୁ ସମନ ଜାରି କରିଛି। ନଭେମ୍ବର ୧୦ରେ ଇଡି ଓ ଅନ୍ୟ ଅଧିକାରୀମାନେ ତାଙ୍କ କଟକ ଜିଲ୍ଲାରେ ଥିବା ସ୍ଥାୟୀ ଠିକଣାକୁ ଯାଇ ଅନୁସନ୍ଧାନ କରିଥିଲେ। ନଭେମ୍ବର ୧୮ରେ ଭୁବନେଶ୍ବରରେ ଇଡିର ଦୁଇଜଣ ଅଧିକାରୀ ତାଙ୍କୁ ସମନ ପ୍ରଦାନ କରିଥିଲେ। ଏଥିସହିତ କେତେକ ପ୍ରଶ୍ନ ମଧ୍ୟ ପଚାରିଥିଲେ। ନଭେମ୍ବର ୨୩ ଦିନ ୧୦ଟାରେ ଇଡି ନିକଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ ଜଣେ ସାଧାରଣ ଲୋକ ଓ ପୀଡ଼ିତା ହୋଇଥିବା ବେଳେ ଏଭଳି ସମନ ଦେଖି ବିଚଳିତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଅଗୁଆ ଜାମିନ ମଞ୍ଜୁର କରାଯାଉ ବୋଲି ଶ୍ରଦ୍ଧାଞ୍ଜଳିଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।





