ରାଜଧାନୀ ଭୁବନେଶ୍ୱରରେ ଅପରାଧ ଓ ଆଇନ ଶୃଙ୍ଖଳା ଚିନ୍ତା, ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ

ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ । ଅର୍ଥାତ୍ ଆକାଶ ମାର୍ଗରୁ ସହର ଉପରେ ନଜର ରଖିବ ଡ୍ରୋନ। ସହରର ପ୍ରତିଟି ଘଟଣା ଓ ଦୁର୍ଘଟଣା ଉପରେ ସିଧାସଳଖ ନଜର ରଖିବ କମିଶନରେଟ୍ ପୋଲିସ । ଏନେଇ ରାଜଧାନୀରେ ଡ୍ରୋନ ପାଟ୍ରୋଲିଂ ବ୍ୟବସ୍ଥା ଲାଗୁ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପିଙ୍କ ଦ୍ବାରା ଏହି ଡ୍ରୋନ ପାଟ୍ରୋଲିଂର ପରୀକ୍ଷଣ କରାଯାଇଛି ।

ଏକ ଟେକ୍ନିକାଲ ଟିମ ଡିସିପିଙ୍କୁ ଏହାର ବ୍ୟବହାର ଓ ଏହାଦ୍ବାରା କିପରି ପରିଚାଳନା କରାଯିବ ସେନେଇ ପରୀକ୍ଷା କରି ଏହା ସମ୍ପର୍କରେ ବୁଝାଛନ୍ତି । ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି, “ଟେକ୍ନିକାଲ ଟିମ୍ ଏବେ ଏହାର ବ୍ୟବହାର ଓ ପରିଚାଳନା ସମ୍ପର୍କରେ ଅବଗତ ହେଉଛନ୍ତି । ବିଶେଷ କରି ଏହାକୁ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଉପୁଜିଲେ ବା କୌଣସି ରାଲି, ଧାରଣା ଅବା ବିକ୍ଷୋଭ ପ୍ରଦର୍ଶନ ସମୟରେ ସାମୂହିକ ଭାବେ ଏକତ୍ର ହେଉଥିବା ଲୋକଙ୍କ ଉପରେ ନଜର ରଖିବ । ନଚେତ କୌଣସି ବଡବଡ କାର୍ଯକ୍ରମ କିମ୍ବା ରାଜନୈତିକ କାର୍ଯକ୍ରମ, ନଚେତ କୌଣସି ଭିଭିଆଇପି ଗସ୍ତ ବେଳେ ପରିଚାଳନା କରିବା ପାଇଁ ସହାୟକ ହେବ। ଏହା ଦ୍ବାରା ଆକାଶମାର୍ଗରୁ ନଜର ରଖାଯାଇପାରିବ।” ଏହି ଡ୍ରୋନ ୫କିମି ରାଡିୟସ ପର୍ଯ୍ୟନ୍ତ କ୍ୟାମେରା ସର୍ଭିଲାନସ ସହ ୫୦୦ ମିଟର ଉଚ୍ଚରେ ଉଡି ଏକ ସମୟରେ ସହରର ବିଭିନ୍ନ ଗତିବିଧି ଉପରେ ନଜର ରଖିପାରିବ । ଏହାର କ୍ୟାମେରା ନାଇଟ ଭିଜନ ସହ ହାଇଡେଫିନେସନ କ୍ୟାମେରା କ୍ଲାରିଟି ରହିଛି । ଯାଦ୍ବାରା କିଛି ସନ୍ଦେହଜନକ ବ୍ୟକ୍ତି କୌଣସି ଜିନିଷ ବ୍ୟବହାର କରୁଥିଲେ ତାହା ସ୍ବଚ୍ଛ ଭାବେ ଦେଖି ଜାଣିହେବ। ଯାହା ପୋଲିସକୁ ଧରିବାରେ ସହାୟକ ହେବ।

ତେବେ ବ୍ୟୟବହୁଳ ଏହି ହାଇଡେଫିନେସନ କ୍ୟାମେରା ସହରର ପ୍ରତିଟି ଗତିବିଧି ଉପରେ ନଜର ରଖିପାରିବ । ପୂଜାପର୍ବାଣି ସମୟରେ ଟ୍ରାଫିକ ଭିଡ଼ ପରିଚାଳନା, ଲୋକଙ୍କ ସୁବିଧା ଅସୁବିଧା ଓ ସହରର କେଉଁଠି କିଭଳି ଅପ୍ରିତିକର ପରିସ୍ଥିତି ରହିଛି ତାହା ଜାଣିହେବ। ଏଥିସହ କୌଣସି ଏକ ଅପରାଧିକ ଘଟଣା ଘଟିଲେ ଏହାର ଆଖପାଖ ଅଞ୍ଚଳ ଓ ଗତିବିଧି କୁଆଡେ ରହିବ ତାହା ମଧ୍ୟ କଣ୍ଟ୍ରୋଲ ରୁମରୁ ପୋଲିସ ନଜର ରଖିପାରିବ । ଏହି କ୍ୟାମେରାରେ ସହରର ସମ୍ବେଦନଶୀଳ ସ୍ଥାନ ଓ ହାଇସିକ୍ୟୁରିଟି ଜୋନ ସୁରକ୍ଷା ପରିଚାଳନା ସହ ନିୟମ ଉଲ୍ଲଙ୍ଘନ କରି ସାଧାରଣ ଲୋକଙ୍କୁ ହଇରାଣ ହରକତ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିପାରିବ। ଏପରିକି ଅପରାଧ କରି ଖସି ପଳାଉଥିବା ଅପରଧି ଡ୍ରୋନ ନଜରରୁ ବର୍ତ୍ତିପାରିବନି‌ । କଣ୍ଟ୍ରୋଲ ରୁମରୁ ଥାଇ ପ୍ରତ୍ୟେକଟି ଘଟଣା ଜାଣିବା ସହ ଜିପିଏସ ଜରିଆରେ ପିସିଆର ଓ ନିକଟସ୍ଥ ଥାନାକୁ ଆଲର୍ଟ କରିହେବ। ଏହାଦ୍ବାରା ଅପରାଧ ଓ ଆଇନ ଶୃଙ୍ଖଳା ଦୁଇଟି ଦିଗ ପରିଚାଳନା ସହ ସମସ୍ତ କାର୍ଯ୍ୟ ପରିଚାଳନା କରିବାରେ ପୋଲିସକୁ ସହଯୋଗ କରିବ।

Related Posts